Categories: ଗଞ୍ଜାମ

ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ତତ୍ପର : ୧୦ କୋଚିଂ ସେଣ୍ଟରରେ ଯାଞ୍ଚ

ବ୍ରହ୍ମପୁର ଅଫିସ,୨ା୬-ନିକଟରେ ଗୁଜରାଟର ସୁରଟରେ ଘଟିଥିବା ଏକ କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ ୨୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ବଢି ଚାଲିଛି । ଏହି ଘଟଣା ପରେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତତ୍ପରତା ଦେଖାଇଛି । ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ମହାନଗର ପରିସରରେ ଥିବା ୧୦ କୋଚିଂ ସେଣ୍ଟରରେ ଶନିବାର ଚଢ଼ାଉ ଆରମ୍ଭ କରିଛି। ଚଢ଼ାଉ ବେଳେ ୮ ଟିମ୍‌ ସାମିଲ ରହିଥିବା ବେଳେ ପ୍ରତି ଟିମ୍‌ରେ ୪ ଜଣ ଲେଖାଏ କର୍ମଚାରୀ ରହିଛନ୍ତି । ପ୍ରତି ଟିମ ଦାୟିତ୍ୱ ଜଣେ ବରିଷ୍ଠ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। କୋଚିଂ ସେଣ୍ଟର ଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ଏଥିସହ ଜରୁରିକାଳୀନ ପରିସ୍ଥିତିରେ କିଭଳି ନିଜକୁ ବଞ୍ଚାଇ ପାରିବ ସେ ନେଇ ସଚେତନ କରାଯାଇଛି। ସେହିଭଳି କୋଚିଂ ସେଣ୍ଟର ମାଲିିକମାନଙ୍କୁ ଆବଶ୍ୟକ ଅଗ୍ନି ନିରାପତ୍ତା ଯନ୍ତ୍ର ମହଜୁଦ ରଖିବା ଓ ତାର ପରିଚାଳନା ତଥା ବ୍ୟବହାର ଉପରେ ସଚେତନ କରାଯାଇଛି। ନିଅଁା ଲାଗିଲେ ବିଦ୍ୟାର୍ଥୀମାନେ କିପରି ନିଜକୁ ରକ୍ଷା କରିପାରିବେ ସେ ସମ୍ପର୍କରେ ଅଗ୍ନିଶମ କର୍ମଚାରୀ ପରାମର୍ଶ ଦେଇଛନ୍ତି। ଯାଞ୍ଚ ବେଳେ କୌଣସି କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଅଗ୍ନି ନିରାପତ୍ତା ଯନ୍ତ୍ରପାତି ଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକ୍ଷମ ନ ଥିଲା । ଆଉ କେତେକ କୋଚିଂ ସେଣ୍ଟରରେ ଫାୟାର ଏଷ୍ଟିଙ୍ଗୁଇସୁର ବ୍ୟବହାର ଅନେକଙ୍କୁ ଜଣା ନ ଥିଲା। କେତେକ ସ୍ଥାନରେ ପିଲାଙ୍କ ପାଇଁ ସତର୍କ ସୂଚନା ଫଳକ ନ ଥିଲା । ତେଣୁ ତୁରନ୍ତ ନିୟମ ପାଳନ କରିବାକୁ କୋଚିଂ ସେଣ୍ଟର ମାଲିକ ଓ ପରିଚାଳକଙ୍କୁ ଅଗ୍ନିଶମ ବିଭାଗ ତାଗିଦ କରିଛି । ଯଦି ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଥିବା ଜଣାପଡେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ସୂଚନା ଦେଇଛନ୍ତି।