ସୁରଟ ଫେରନ୍ତା ଅଧା ରାସ୍ତାରେ ଓହ୍ଲାଇ ପଳାଉଥିଲେ, ଅଟକାଇଲେ ଲୋକେ

ଭଦ୍ରକ ଅଫିସ,୪ା୫: ସୁରଟରୁ ଫେରୁଥିବା ବେଳେ ଅଧା ରାସ୍ତାରେ ଗାଡ଼ିରୁ ଓହ୍ଲାଇ ପଳାଉଥିଲେ। ଜଣେ ନୁହଁ କି ଦୁଇଜଣ ନୁହେଁ। ୨୨ରୁ ଅଧିକ ଲୋକ ଖସି ପଳାଉଥିଲେ। ସ୍ଥାନୀୟ ଲୋକେ କେତେଜଣଙ୍କୁ ଅଟକାଇଥିବା ବେଳେ ଆଉ କେତେଜଣ ଖସି ପଳାଇଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ସହରରେ। ରବିବାର ରାତିରେ ଏକ ବସ୍‌ ଆସି ବନ୍ତ ଛକ ନିକଟରେ ଅଟକିଥିଲା। ବସ୍‌ରୁ ପ୍ରାୟ ୨୦ରୁ ଅଧିକ ଲୋକ ଓହ୍ଲାଇ ପଳାଇଥିବା ବେଳେ ଖବରଦାତାମାନେ ଯାଇ ବସ୍‌କୁ ଅଟକାଇଥିଲେ। ସେହି ବସ୍‌ରେ ବାଲେଶ୍ୱର ଜିଲାର କେତେକ ଲୋକ ଥିବା ବେଳେ ଭଦ୍ରକ ଜିଲାର ୨୨ଜଣ ଥିଲେ ବୋଲି ସୂଚନା ମିଳିଛି। ତେବେ ଭଦ୍ରକ ଟାଉନ୍‌ ପୋଲିସ ଆସି ବସ୍‌ର କାଗଜପତ୍ର ଯାଞ୍ଚ କରିବା ସହ ବସ୍‌କୁ ପୁଣି ଭଣ୍ଡାରିପୋଖରୀ ଆଇଟିଆଇକୁ ପଠାଇଛି। ତେବେ ବସ୍‌ରୁ ଓହ୍ଲାଇ ପଳାଇଥିବା ଲୋକଙ୍କୁ ପୋଲିସ ଖୋଜୁଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଆଇଟିଆଇଠାରେ ହୋଇଥିବା ଶିବିରରେ ବସ୍‌ଟି ଭଦ୍ରକ ଲୋକଙ୍କୁ ଛାଡ଼ିବା ପରେ ଅନ୍ୟ ଜିଲାକୁ ଯାଇଥାନ୍ତା। ସେଠାରେ ପ୍ରଶାସନ ଓ ପୋଲସ ପକ୍ଷରୁ ବସ୍‌କୁ ଅଟକାଇବା ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ବସ୍‌ଟି ପଳାଇଆସିଥିବା ଯାତ୍ରୀମାନେ କହିଛନ୍ତି।