Categories: ଜାତୀୟ

ସୁରଟ ହୀରା କାରବାରରେ ମାନ୍ଦାବସ୍ଥା ମାଡ଼:୬୦ ହଜାର କର୍ମଚାରୀ ବେକାର

ନୂଆଦିଲ୍ଲୀ,୩୦-୮:ଦେଶର ହୀରା କାରବାର ଗଡ଼ ଭାବେ ପରିଚିତ ଗୁଜରାଟର ସୁରଟରେ ଏବେ ମାନ୍ଦାବସ୍ଥା ଛାଇଗଲାଣି। ଗତ କିଛି ମାସ ମଧ୍ୟରେ ଏଠାରେ ୬୦ ହଜାର କର୍ମଚାରୀ ନିଯୁକ୍ତି ହରାଇ ଏବେ ଦୁଃଖରେ କାଳାତିପାତ କରୁଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ, ୪୦ ପ୍ରତିଶତ କାରଖାନାକୁ ଅସମୟରେ ବନ୍ଦ କରିଦିଆଯାଇଛି। ଫଳରେ ଲୋକେ ରୋଜଗାର ହରାଇ ଚାଲିଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ସୁରଟରେ ହୀରା ବ୍ୟବସାୟ ୨୦୧୬ ନଭେମ୍ବରରୁ ସବୁଠୁ ଖରାପ ସମୟ ଦେଇ ଗତିକରୁଛି। ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରାଗଲା। ସରକାରଙ୍କ ଏହି ନିଷ୍ପତ୍ତି ସୁରଟର ହୀରା ବ୍ୟବସାୟକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା। ଏଥିରୁ ବାହାରି ଆସିବା ଲାଗି ବ୍ୟବସାୟୀ ଉଦ୍ୟମ କରୁଥିବା ବେଳେ ୨୦୧୭ ଜୁଲାଇ ପହିଲାରୁ ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ ହେଲା। ଏହାପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ପଦାକୁ ଆସିଲା। ଏଥିରେ ପ୍ରମୁଖ ହୀରା ବ୍ୟବସାୟୀ ନୀରବ ମୋଦି, ମେହୁଲ ଚୋକ୍‌ସୀଙ୍କ ସମ୍ପୃକ୍ତି ଧରାପଡିବା,ସିନ୍ଥେଟିକ ହୀରାର ପ୍ରଚଳନ ବୃଦ୍ଧି ଯୋଗୁ ହୀରା ବ୍ୟବସାୟର ଅଣ୍ଟା ଭାଙ୍ଗିଯାଇଥିବା ସୁରଟ ଡାଇମଣ୍ଡ ଆସୋସିଏଶନ ପକ୍ଷରୁ କୁହାଯାଇଛି। ଡାଇମଣ୍ଡ ଓ୍ବାର୍କର୍ସ ୟୁନିୟନ ପ୍ରେଡିଡେଣ୍ଟ ରନ୍‌ମାଲ ଜିଲାରିୟାୟା କହିଛନ୍ତି ଯେ, ହୀରା ଶିଳ୍ପରେ ଏବେ ନିଯୁକ୍ତି ଦୃଶ୍ୟପଟ ଅତ୍ୟନ୍ତ ଶୋଚନୀୟ। ଅନେକ ସ୍ଥାନରେ କାରଖାନାରେ ୩ ଓଳି ବଦଳରେ ଗୋଟିଏ ଓଳିରେ କାମ ହେଉଛି। ଲୋକଙ୍କୁ ବିନା ଦରମା ଦେଇ ପ୍ରାକ୍‌ ନୋଟିସ୍‌ରେ ହଠାତ୍‌ ଚାକିରିରୁ ବିଦା କରିଦିଆଯାଉଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଗୁଜରାଟରେ ପ୍ରାୟ ୧୫ ହଜାର ଛୋଟ ବଡ଼ ହୀରା ଉଦ୍ୟୋଗ ରହିଥିବା ବେଳେ ୭ ଲକ୍ଷ ବ୍ୟକ୍ତି ଏଥିରେ ନିୟୋଜିତ ରହିଛନ୍ତି। କେବଳ ସୁରଟରେ ୬ ଲକ୍ଷ ବ୍ୟକ୍ତି ହୀରା ବ୍ୟବସାୟ ସହ ଜଡ଼ିତ। ସୁରଟ ବ୍ୟତୀତ ଅମରୋଲି ଓ ଭାବନଗରରେ ହୀରାର କଟିଂ ଓ ପଲିସିଂ କାରବାର ରହିଛି। ସୋନୀ ଡାଇମଣ୍ଡ ବିଜ୍‌ନେସ୍‌ ଇନ୍‌ଷ୍ଟିିଚ୍ୟୁଟର ମୁଖ୍ୟ ଶ୍ରେୟାନ ସୋନୀ କହିଛନ୍ତି ଯେ, ଗୁଜରାଟରେ ହୀରା ବ୍ୟବସାୟ ସଙ୍ଗୀନ ହେଲାଣି। କାରଣ ବିଦେଶରେ ଭାରତୀୟ ହୀରା ଚାହିଦା ପ୍ରାୟ ୨୦% କମିଗଲାଣି। ଜୁଲାଇରେ ପଲିସ ହୀରା ରପ୍ତାନି ୧୮.୧୫%କୁ ହ୍ରାସ ପାଇଛି। ଏହି ସମୟରେ ମାତ୍ର ୧୮,୬୩୩.୧୦ କୋଟି ଟଙ୍କାର ହୀରା ରପ୍ତାନି ହୋଇପାରିଛି। ଗତବର୍ଷ ଏହି ସମୟରେ ୮୪,୨୭୨.୩୦ କୋଟି ଟଙ୍କାର ରପ୍ତାନି ହୋଇଥିଲା।

Share