Categories: ଖେଳ

ସୁଲତାନ ଜୋହର କପ୍‌ ହକି: ବିଜୟରୁ ଭାରତର ଅଭିଯାନ

ଜୋହର ବାହରୁ, ୧୩।୧୦(ପି.ଟି.) – ଏଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ନବମ ସୁଲତାନ ଜୋହର ବାହରୁ କପ୍‌ରେ ଭାରତୀୟ ଜୁନିୟର ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଆୟୋଜକ ମାଲେସିଆ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‌ରେ ଭାରତ ୪-୨ ଗୋଲରେ ମାଲେସିଆକୁ ହରାଇଛି। ଭାରତ ତରଫରୁ ଓଡ଼ିଶାର ପ୍ରତାପ ଲାକ୍ରା ୧୯ ଓ ୩୩ତମ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରିଥିଲେ। ସେହିପରି ଅନ୍ୟତମ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ୩୯ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ଉତ୍ତମ ସିଂ ୬୦ତମ ମିନିଟ୍‌ରେ ଭାରତ ପାଇଁ ଅନ୍ତିମ ଗୋଲ ସ୍କୋର କରିଥିଲେ।
ଅପରପକ୍ଷରେ ମାଲେସିଆ ତରଫରୁ ଅଷ୍ଟମ ମିନିଟ୍‌ରେ ମହମ୍ମଦ ହାସନ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାର ଗୋଟିଏ ମିନିଟ ପରେ ମୁହମ୍ମଦ ଜାଇନୁଦ୍ଦିନ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଦୁଇଟି ଗୋଲ ବରଣ କରି ପଛରେଥିଲେ ମଧ୍ୟ ଭାରତ ପରେ ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମ କ୍ୱାର୍ଟରରେ ମାଲେସିଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ମାଲେସିଆ ୨-୧ରେ ଅଗ୍ରଣୀ ରହିଥିଲା। ତେବେ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ଗୋଲ ଦେଇ ମ୍ୟାଚକୁ ହାତେଇ ନେଇଥିଲା। ଭାରତୀୟ ଜୁନିୟର ଦଳ ତା’ର ପରବର୍ତ୍ତୀ ରାଉଣ୍ଡ ରବିନ ମ୍ୟାଚ୍‌ରେ ରବିବାର ନ୍ୟୁଜିଲାଣ୍ଡକୁ ଭେଟିବ।

Share