Categories: ଖେଳ

ସୁଲତାନ ଜୋହର କପ୍‌ ହକି: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ ନ୍ୟୁଜିଲାଣ୍ଡ ୮-୨ ଗୋଲ୍‌ରେ ପରାସ୍ତ

ଜୋହର ବାହରୁ,୧୩।୧୦(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଜୋହାର କପ୍‌ ହକି ଟୁର୍ନାମେଣ୍ଟରେ ଭାରତୀୟ ଜୁନିୟର ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଶନିବାର ପ୍ରଥମ ମ୍ୟାଚ୍‌ରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ରବିବାର ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ୮-୨ ଗୋଲରେ ହରାଇଛି। ଭାରତ ତରଫରୁ ସଞ୍ଜୟ ଦୁଇଟି ଗୋଲ ସ୍କୋର କରିଥିଲେ। ସଞ୍ଜୟ ୧୭ ଓ ୨୨ତମ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରିଥିଲେ। ତେବେ ଦିଲପ୍ରୀତ ସିଂ ଷଷ୍ଠ ମିନିଟ୍‌ରେ ପ୍ରଥମ ଗୋଲ ଦେଇ ଭାରତ ପାଇଁ ଖାତା ଖୋଲିଥିଲେ। ସେହପରି ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ୧୪ତମ ମିନିଟ୍‌ରେ ଗୋଲ ଦେଇଥିବା ବେଳେ ଅଧିନାୟକ ମନଦୀପ ମୋର ୨୨ତମ ମିନିଟ୍‌ ସ୍କୋର କରିଥିଲେ। ଅନ୍ୟତମ ଓଡ଼ିଆ ଖେଳାଳି ସୁମନ ବେକ୍‌ ଓ ସୁଦୀପ ଚିର୍ମାକୋ ଯଥାକ୍ରମେ ୪୫ ଓ ୫୧ତମ ମିନିଟ୍‌ ଗୋଲ ସ୍କୋର କରିଥିଲେ। ତେବେ ନ୍ୟୁଜିଲାଣ୍ଡ ପାଇଁ ଡାଇଲାନ ଥୋମାସ ୨୮ ଓ ୪୪ତମ ମିନିଟରେ ଦୁଇଟି ଗୋଲ ସ୍କୋର କରି ପରାଜୟ ବ୍ୟବଧାନ କାମାଇଥିଲେ। ମଙ୍ଗଳବାର ଭାରତ ତା’ର ପରବର୍ତ୍ତୀ ରାଉଣ୍ଡ ରବିନ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଜାପାନକୁ ଭେଟିବ। ସାରା ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଭାରତୀୟ ଖେଳାଳିମାନେ ନ୍ୟୁଜିଲାଣ୍ଡ ଡିଫେନ୍ସ ଦୁର୍ବଳତାର ଫାଇଦା ଉଠାଇଥିଲେ।

Share