Categories: ଖେଳ

ସୁଲତାନ ଜୋହର କପ୍‌ ହକି :ଭାରତ- ମାଲେସିଆ ଉଦ୍‌ଘାଟନୀ ମ୍ୟାଚ୍‌

ଜୋହର ବାହରୁ,୧୨।୧୦(ପି.ଟି.)- ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ନବମ ସୁଲତାନ ଜୋହର କପ୍‌ ହକି ଟୁର୍ନାମେଣ୍ଟରେ ଭାରତ ଓ ଆୟୋଜକ ମାଲେସିଆ ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ପ୍ରତିଭାସମ୍ପନ୍ନ ଡିଫେଣ୍ଡର ମନଦୀପ ମୋରଙ୍କ ନେତୃତ୍ୱରେ ଭାରତ ଏହି ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଗତବର୍ଷ ଏହି ଟୁର୍ନାମେଣ୍ଟର ରାଉଣ୍ଡ ରବିନ୍‌ ଲିଗ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତ ଫାଇନାଲରେ ଗ୍ରେଟ ବ୍ରିଟେନଠାରୁ ପରାସ୍ତ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଭାରତ ୨-୧ରେ ମାଲେସିଆକୁ ହରାଇଥିଲା। ସେହିପରି ନ୍ୟୁଜିଲାଣ୍ଡ, ଜାପାନ ଓ ଅଷ୍ଟ୍ରେଲିଆକୁ ଭାରତ ଯଥାକ୍ରମେ ୭-୧, ୧-୦ ଓ ୫-୪ ଗୋଲରେ ହରାଇଥିଲା।
ଏଥର ଆମେ ଭଲ ପ୍ରଦର୍ଶନ କରି ଟାଇଟଲ ଜିତିବାକୁ ଚେଷ୍ଟା କରିବୁ ବୋଲି ମନଦୀପ କହିଛନ୍ତି। ଜୁନିୟରସ୍ତରରେ ଏହା ଏକ ବଡ଼ ଟୁର୍ନାମେଣ୍ଟ ହୋଇଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବୁ ବୋଲି ସେ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଭାରତ ଓ ମାଲେସିଆ ଜୁନିୟରସ୍ତରରେ ପରସ୍ପରକୁ ୧୦ଥର ଭେଟିଛନ୍ତି। ଏଥି ମଧ୍ୟରୁ ଭାରତ ୭ଟିରେ ବିଜୟ ହାସଲ କରିଛି। ମାଲେସିଆ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଦୁଇଟି ଡ୍ର ରହିଛି। ଏଥର ଏହି ଟୁର୍ନାମେଣ୍ଟରେ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ରବିବାର ଭେଟିବ। ୧୫ ତାରିଖରେ ଜାପାନ, ୧୬ ତାରିଖରେ ଅଷ୍ଟ୍ରେଲିଆ ଓ ୧୮ ତାରିଖରେ ଗ୍ରେଟ ବ୍ରିଟେନକୁ ଭାରତ ଭେଟିବ।

Share