Categories: ଖେଳ

ସୁଲତାନ ଜୋହର କପ୍‌ ହକି: ଲଢ଼େଇ କରି ହାରିଲା ଭାରତ

ଜୋହର ବାହରୁ, ୧୬।୧୦-ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଜାପାନଠାରୁ ହାରି ଯାଇଛି। ମ୍ୟାଚରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ଗୋଟିଏ ଗୋଲ ବ୍ୟବଧାନରେ ପରାଜୟ ବରଣ କରିଛି। ଚଳିତ ଟୁର୍ନାମେଣ୍ଟରେ ଭାରତର ଏହା ପ୍ରଥମ ପରାଜୟ। ପ୍ରଥମ ୨ଟି ମ୍ୟାଚରେ ଦଳ ମାଲେସିଆକୁ ୪-୨ ଓ ନ୍ୟୁଜିଲାଣ୍ଡକୁ ୮-୨ ଗୋଲରେ ପରାସ୍ତ କରିଥିଲା। ଭାରତ ଏହାର ପରବର୍ତ୍ତୀ ରାଉଣ୍ଡ ରବିନ ଲିଗ୍‌ ମ୍ୟାଚରେ ବୁଧବାର ଅଷ୍ଟ୍ରେଲିଆକୁ ଭେଟିବ।
ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା ଜାପାନକୁ ପ୍ରଥମ ମିନିଟରେ ହିଁ ଫାଇଦା ମିଳିଥିଲା। ମିଳିଥିବା ପେନାଲ୍ଟି କର୍ନରକୁ ଓ୍ବାତାରୁ ମାତ୍‌ସୁମୋତୋ ଡ୍ରାଗ୍‌ଫ୍ଲିକ୍‌ ଜରିଆରେ ଗୋଲରେ ପରିଣତ କରି ଦଳକୁ ଅଗ୍ରଣୀ କରାଇଥିଲେ। ଜବାବରେ ଭାରତ ମଧ୍ୟ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରି ୩ୟ ମିନିଟରେ ଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ପ୍ରତାପ ଲାକ୍ରାଙ୍କ ଶଟ୍‌କୁ ପ୍ରତିପକ୍ଷ ଦଳର ତାକୁମି କିଟାଗାଓ୍ବା ଅଟକାଇବାରେ ସକ୍ଷମ ହୋଇଥିଲେ। ପ୍ରଥମ କ୍ୱାର୍ଟରରେ ଭାରତ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଫିନିଶ୍‌ ଟଚ୍‌ ଦେବାରେ ବିଫଳ ହେବାରୁ ଗୋଲଟି ପରିଶୋଧ କରିପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲା। ଦଳ ଗୋଲ ପରିଶୋଧ ଉଦ୍ୟମରେ ବିଫଳ ହୋଇଥିବାବେଳେ ଜାପାନର କୋସେଇ କାଓ୍ବାବେ ୨୨ତମ ମିନିଟରେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳକୁ ୨-୦ ଗୋଲରେ ଅଗ୍ରଣୀ କରାଇଥିଲେ।
ତୃତୀୟ କ୍ୱାର୍ଟର ରୋମାଞ୍ଚକର ହୋଇଥିଲା। ଦ୍ୱିତୟାର୍ଦ୍ଧ ଆରମ୍ଭରେ ଅର୍ଥାତ୍‌ ୩୧ତମ ମିନିଟରେ ଭାରତ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମନଦୀପ ମୋରଙ୍କ ପାସ୍‌କୁ ଗୋଲରେ ପରିଣତ କରି ଗୁରସାହିବଜିତ ସିଂ ମ୍ୟାଚରେ ଉଷ୍ମତା ଭରିଥିଲେ। ମାତ୍ର ଏହାର ୨ ମିନିଟ ପରେ ଜାପାନକୁ ମିଳିଥିବା ୫ମ ପେନାଲ୍ଟି କର୍ନରରୁ କେଇତା ଓ୍ବାତାନବେ ଗୋଲ ଦେଇ ଜାପାନର ଅଗ୍ରଣୀକୁ ୩-୧ କରିଥିଲେ। ୩୭ତମ ମିନିଟରେ କୋସେଇ କାଓ୍ବାବେ ଗୋଲ ଦେବାରୁ ଜାପାନ ୪-୧ରେ ଅଗ୍ରଣୀ ସହ ଡ୍ରାଇଭର ଶିଟ୍‌ରେ ବସିଥିଲା। ତେବେ ଏହାର ୧ ମିନିଟ ପରେ ଅର୍ଥାତ୍‌ ୩୮ତମ ମିନିଟରେ ଶାରଦାନନ୍ଦ ତିଓ୍ବାରୀ ଗୋଟିଏ ଗୋଲ ପରିଶୋଧ କରିଥିଲେ। ୨ ଗୋଲ ପଛରେ ଥାଇ ଭାରତ ୪ର୍ଥ ତଥା ଅନ୍ତିମ କ୍ୱାର୍ଟର ଖେଳିଥିଲା। ଜାପାନ ଆକ୍ରମଣ ଉପରେ ଗୁରୁତ୍ୱ ନ ଦେଇ ନିଜ ରକ୍ଷଣଭାଗକୁ ଦୃଢ଼ କରି ଦେଇଥିଲା। ଭାରତୀୟ ଫରଓ୍ବାର୍ଡ ଲାଇନ୍‌ ଜାପାନର ରକ୍ଷଣଭାଗ ଭେଦ କରିବାପାଇଁ ଉଦ୍ୟମକୁ ଜୋରଦାର କରିଥିଲା। ୫୩ତମ ମିନିଟରେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଓଡ଼ିଆ ଖେଳାଳି ପ୍ରତାପ ଲାକ୍ରା ଭାରତ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ଶେଷ ୭ ମିନିଟରେ ଆଉ ଗୋଲ ଦେବା ସମ୍ଭବ ହୋଇ ନ ଥିଲା। ଫଳରେ ଜାପାନ ବିଜୟ ହାସଲ କରିଥିଲା।

Share