Categories: ମେଟ୍ରୋ

ସୁଶାନ୍ତଙ୍କ ନିଆରା ପ୍ରୟାସ: ସିଡ୍‌ବଲ୍‌ରୁ ସବୁଜିମା

ପୁରୁଣା ଭୁବନେଶ୍ୱର, ୪ା୬(ଡି.ଏନ୍‌.ଏ.): ଶୁକ୍ରବାର ବିଶ୍ୱ ପରିବେଶ ଦିବସ। ଚଳିତବର୍ଷର ଥିମ୍‌ ରହିଛି ‘ପ୍ରକୃତି ପାଇଁ ସମୟ ଦେବା’। ଏଭଳି ଏକ ଦିବସରେ ପ୍ରକୃତି ପାଇଁ ସମୟ ଦେଉଥିବା ପ୍ରକୃତ ହିରୋଙ୍କ ଅବଦାନ ସାମ୍ନାକୁ ଆସୁଛି। ଏମିତି ଜଣେ ହିରୋ ହେଉଛନ୍ତି ଯୁବ ସାମାଜିକ କର୍ମୀ ସୁଶାନ୍ତ ସାହୁ। ତାଙ୍କର ସିଡ୍‌ବଲ୍‌ରୁ ସବୁଜିମା ସ୍ବପ୍ନ ଏବେ ବାସ୍ତବତାର ରୂପ ନେବାକୁ ଯାଉଛି। ଗତବର୍ଷ ସୁଶାନ୍ତ ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ପ୍ରକଳ୍ପ, ଭରତପୁର ସଂରକ୍ଷିତ ଜଙ୍ଗଲର ଖାଲି ସ୍ଥାନ ଓ ଘଙ୍ଗାପାଟଣା ସଂରକ୍ଷିତ ଜଙ୍ଗଲର ଉଜୁଡ଼ା ଅଞ୍ଚଳରେ ପକାଇଥିବା ୫ହଜାରରୁ ଊର୍ଦ୍ଧ୍ୱ ସିଡ୍‌ବଲ୍‌ରୁ ବୀଜ ଅଙ୍କୁରୋଦ୍‌ଗମ ହୋଇଛି। ବର୍ଷା ପାଣି ସ୍ପର୍ଶରେ ହଜାର ହଜାର ତେନ୍ତୁଳି, ପଣସ ଚାରା ଧୀରେ ଉପରକୁ ମୁଣ୍ଡଟେକି ଛିଡ଼ା ହେବାକୁ ଆରମ୍ଭ କରିଛି। ଫିଙ୍ଗାଯାଇଥିବା ସିଡ୍‌ବଲ୍‌ର ୯୦ ପ୍ରତିଶତରୁ ଅଧିକ ଗଜା ବାହାରିଥିବାବେଳେ ଆବଶ୍ୟକ ଯତ୍ନ ଓ ସୁରକ୍ଷା ମିଳିଲେ ଆଗାମୀ ଦିନରେ ସେସବୁ ସ୍ଥାନ ସବୁଜିମାମୟ ହୋଇଯିବ ବୋଲି ସୁଶାନ୍ତ କହିଛନ୍ତି। ତାଙ୍କର ଏହି ନିଆରା ପ୍ରୟାସ ବିଶ୍ୱ ପରିବେଶ ଦିବସ ପାଇଁ ବଡ଼ ମହତ୍ୱ ରଖିଛି।
ତାଙ୍କ କହିବାନୁସାରେ, ମାଟି, ବାଲି, ଖତରେ ବିଭିନ୍ନ ପ୍ରକାର ବିହନ ମଞ୍ଜି ମିଶାଇ ପିଣ୍ଡୁଳା ତିଆରି କରନ୍ତି। ଏହାକୁ ସିଡ୍‌ବଲ୍‌ ବୋଲି କୁହାଯାଏ। ଯେଉଁ ସ୍ଥାନକୁ ଲୋକ ଯିବା ସମ୍ଭବ ହୁଏନି ବା ସେଠାରେ ମାଟି ଖୋଳି ମଞ୍ଜି ପୋତିବା କଷ୍ଟକର ହୁଏ, ସେସବୁ ସ୍ଥାନରେ ସବୁଜିମା ସୃଷ୍ଟି କରିବା ପାଇଁ ସିଡ୍‌ବଲ ବେଶ୍‌ ସହାୟକ ହୋଇଥାଏ। ତେଣୁ ପ୍ରତିବର୍ଷ ସୁଶାନ୍ତ ଏପରି ବହୁ ସ୍ଥାନରେ ହଜାର ହଜାର ସିଡ୍‌ବଲ୍‌ ତିଆରି କରି ଫିଙ୍ଗିଥାନ୍ତି। ସେଥିରୁ ୯୦ ପ୍ରତିଶତ ଗଜା ହେଉଛି। ଏହି ମହତ କାର୍ଯ୍ୟରେ ସ୍ଥାନୀୟ ଲୋକ, ଛାତ୍ରୀଛାତ୍ର ଏବଂ ଅନ୍ୟମାନଙ୍କୁ ସାମିଲ କରୁଥିବା ସୁଶାନ୍ତ କହିଛନ୍ତି।

Share