ସୁଶାନ୍ତଙ୍କ ପାଇଁ ଡାଏରୀ ଲେଖୁଥିଲେ ଛାତ୍ରୀ, ମୃତ୍ୟୁ ଖବର ପାଇ ହାରିଲେ ଜୀବନ

ମୁମ୍ବାଇ: ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣକ ପରେ ଜଣେ ଆତ୍ମହତ୍ୟା କରିଚାଲିଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ- ନିକୋବର ଦ୍ୱୀପରେ ଜଣେ ଛାତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଏକ ଡାଏରୀ ମଧ୍ୟ ଲେଖୁଥିଲେ। ଯେଉଁଥିରେ ସୁଶାନ୍ତଙ୍କ ସହିତ ଜଡ଼ିତ କିଛି କଥା ଲେଖିଥିଲେ। ଆଣ୍ଡାମାନ-ନିକୋବରର ରାଜଧାନୀ ପୋର୍ଟବ୍ଲେୟାରର ୧୫ ବର୍ଷୀୟା ଏହି ଛାତ୍ରୀଜଣକ ୧୭ ଜୁନ୍‌ରେ ରଶି ଲଗାଇ ଆହ୍ମହତ୍ୟା କରିଛନ୍ତି। ତାଙ୍କ ପରିବାର ଲୋକେ କୁହନ୍ତି, ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ବହୁତ ଭାଙ୍ଗି ପଡ଼ିଥିଲେ। ତାଙ୍କ ଡାଏରୀରେ ସେ ସବୁବେଳେ ସୁଶାନ୍ତଙ୍କ ପାଇଁ କିଛି ନା କିଛି ଲେଖୁଥିଲେ। କିନ୍ତୁ ତାଙ୍କ ଆତ୍ମହତ୍ୟା ସମ୍ପର୍କରେ କୌଣସି ନୋଟ୍‌ ମିଳିନାହିଁ।
ଏହା ପୂର୍ବରୁ ମଧ୍ୟପ୍ରଦେଶ ସାଗର ଜିଲାର ଜଣେ ୨୦ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିଲେ। ଆଶ୍ଚର୍ଯ୍ୟର କଥା ଆତ୍ମହତ୍ୟା କରିବାର କିଛି ଘଣ୍ଟା ପୂର୍ବରୁ ସେ କହିଥିଲେ, ‘ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ପରି ଆତ୍ମହତ୍ୟା କରିବି’। ସେହିପରି ଉତ୍ତରପ୍ରଦେଶର ବରେଲିରେ ମଧ୍ୟ ଏପରି ଘଟଣା ଘଟିଥିଲା। ଜଣେ ୧୦ମ ଶ୍ରେଣୀ ଛାତ୍ର ସୁଶାନ୍ତଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆହ୍ମହତ୍ୟା କରିଥିଲେ। ସେ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ, ‘ସୁଶାନ୍ତ ଯଦି ଆହ୍ମହତ୍ୟା କଲେ ମୁଁ କାହିଁକି କରିପାରିବିନି।’ ଏହିପରି ଅନେକ ପ୍ରଶଂସକ ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।

Share