ସୁଶାନ୍ତ ସିଂ ଭାରତୀୟ ସେନା ଭଳି ଜୀବନ ବିତାଇବାକୁ କରୁଥିଲେ ପସନ୍ଦ

ମୁମ୍ବାଇ, ୨୩।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ଜୀବନର ବହୁ ଅକୁଆ କଥା ଏବେ ସାମ୍ନାକୁ ଆସିବାରେ ଲାଗିଛି। ସେ ଭାରତୀୟ ସେନା ଭଳି ଜୀବନ ବିତାଇବାକୁ ପସନ୍ଦ କରୁଥିଲେ। ତେଣୁ ପ୍ରତି ୬ ମାସରେ ଗୋଟିଏ ଦିନ ଭାରତୀୟ ସେନାଙ୍କ ସହିତ ବିତାଇବା ଲାଗି ସେ ଯୋଜନା କରିଥିଲେ। ଭାରତୀୟ ସେନାରେ ଯୋଗଦେବା ପାଇଁ ସେ ଚାହୁଁଥିଲେ। ତାଙ୍କ ମୃତ୍ୟୁ ପରେ ମିଳିଥିବା ଏକ ଚିଠିରେ ଲେଖା ଯାଇଛି ଯେ, ସେ ଭାରତୀୟ ସେନା ଭଳି ଜୀବନ ବଞ୍ଚିବାକୁ ଚାହାଁନ୍ତି। ଏହାକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ତାଙ୍କ ଫିଲ୍ମ ‘ରାଇଫଲ ମ୍ୟାନ୍‌’ରେ ସେ ଭାରତୀୟ ସେନାଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ତାଙ୍କର ବହୁଦିନର ସ୍ବପ୍ନ ସତ ହୋଇଥିବାରୁ ଶୁଟିଂ ସମୟରେ ସୁଶାନ୍ତ ବେଶ୍‌ ଖୁସି ଥିଲେ। ଏବେ ତାଙ୍କ ଏହି ଫିଲ୍ମର କେତେକ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫିଲ୍ମଟି ୨୦୧୯ରେ ଶୁଟିଂ ହୋଇଥିଲେ ମଧ୍ୟ ଏହା ରିଲିଜ୍‌ ହୋଇପାରି ନାହିଁ।

Share