ସୁଶାନ୍ତ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ପୋଲସରା,୩୦ା୮(ଡି.ଏନ.ଏ.)- ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଜୁନ ୧୮ ତାରିଖ ରାତିରେ ସୁଶାନ୍ତ ନାୟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ପୋଲିସ ୯ ଜଣଙ୍କୁ ଗିରଫ କରିଥିଲା। ବୁଧବାର ରାତିରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ପୋଲିସ ସିଂହାସନୀ ଜଙ୍ଗଲ ଅଞ୍ଚଳରୁ ଗିରଫ କରିଛି। ସେମାନେ ହେଲେ ଇଚ୍ଛାପୁର ଗ୍ରାମର ରଙ୍କ ନାୟକ, ଭାସ୍କର ନାୟକ, ଫକୀର ନାୟକ ଓ ଭଗବାନ ନାୟକ। ରଙ୍କ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି। ୪ ଅଭିଯୁକ୍ତଙ୍କୁ ଗୁରୁବାର କୋଦଳା କୋର୍ଟ ଚାଲାଣ କରାଯାଇଥିଲା। ସୁଶାନ୍ତ ହତ୍ୟା ଘଟଣାରେ ଗିରଫଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ କୌଣସି କାମ ପାଇଁ ମିସ୍ତ୍ରି ଡ଼ାକିବାକୁ ନିଜ ବାଇକ ଯୋଗେ ଇଚ୍ଛାପୁର ଗ୍ରାମକୁ ଯାଇଥିଲେ। ଫେରିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ଉକ୍ତ ଗ୍ରାମର ରଙ୍କଙ୍କ ସମେତ ଅନ୍ୟ କେତେଜଣ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସୁଶାନ୍ତଙ୍କ ବାପା ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ନଂ.୧୩୪/୧୯ରେ ମାମଲା ରୁଜୁ ହୋଇଥିଲା। ପୋଲିସର ତଦନ୍ତ ଜାରି ରହିଛି।