Advertisement

ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ

ପୁରୀ ଅଫିସ, ୭ା୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜଙ୍କ ପରଲୋକରେ ଦେଶବ୍ୟାପୀ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ସୁଷମାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ବୁଧବାର ଅପରାହ୍ନରେ ପତ୍ନୀଙ୍କ ସହିତ ରାଜ୍ୟପାଳ ଶ୍ରୀମନ୍ଦିରକୁ ଆସି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବା ସହ କଳ୍ପବଟ ମୂଳରେ ବସି କିଛି ସମୟ ପ୍ରାର୍ଥନା କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ରାଜ୍ୟପାଳ ଶ୍ରୀମନ୍ଦିରରୁ ବାହାରି ଗଣମାଧ୍ୟମକୁ କହିଥିଲେ, ସୁଷମା ତାଙ୍କର ପ୍ରିୟ ଭଉଣୀ ଥିଲେ। ଏହିପରି ଜଣେ ମହୀୟସୀଙ୍କୁ ମହାପ୍ରଭୁ ଏ ପୃଥିବୀକୁ ଆହୁରି ସୁନ୍ଦର କରିବା ଲାଗି ପଠାଇଥିଲେ। ସେହି ସୁନ୍ଦର ମଣିଷଙ୍କୁ ଠାକୁର ପୁଣି ନିଜ ପାଖକୁ ନେଇଗଲେ। ସୁଷମାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ଲାଗି ସପରିବାର ଆସିଥିବା ରାଜ୍ୟପାଳ କହିଥିଲେ। ତାଙ୍କ ସହ ଏକ ସ୍ମୃତିକୁ ମନେ ପକାଇ ରାଜ୍ୟପାଳ କହିଥିଲେ, ଯେତେବେଳେ ମୁଁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲି ସେତେବେଳେ ସୁଷମାଙ୍କୁ ସାକ୍ଷାତ୍‌ କରିବାକୁ ଚାହିଁଥିଲି। କିନ୍ତୁ ସେ କହିଥିଲେ ଆପଣ ଶପଥ ନେଇ ସାଥୀରେ ଏଡିସିଙ୍କୁ ଆଣି ଆସିଲେ ମୁଁ ସାକ୍ଷାତ୍‌ କରିବି। ଏହାପରେ ମୁଁ ଶପଥ ନେଇ ଏଡିସିଙ୍କୁ ସାଙ୍ଗରେ ଧରି ଯାଇଥିଲି। ସୁଷମା ବହୁତ ସ୍ନେହୀ ଏବଂ ମେଳାପୀ ଥିଲେ ବୋଲି ରାଜ୍ୟପାଳ କହିଥିଲେ। ଶ୍ରୀଜୀଉଙ୍କ ଦର୍ଶନ ପରେ ରାଜ୍ୟପାଳ ସପରିବାର ସମୁଦ୍ର ବେଳାଭୂମିକୁ ଯାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ସୁଷମା ସ୍ବରାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ତିଆରି ହୋଇଥିବା ବାଲୁକା କଳା ଦେଖିଥିଲେ। ଏଥିସହ ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel