Categories: ବାଣିଜ୍ୟ

ସୁଷମା ସ୍ବରାଜଙ୍କ ବିୟୋଗରେ ଶିଳ୍ପ ଜଗତର ଶୋକ

ନୂଆଦିଲ୍ଲୀ,୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଦେଶର ଶିଳ୍ପ ଜଗତ ପକ୍ଷରୁ ଶୋକ ପ୍ରକାଶ ପାଇଛି। ସୁଷମା ଜଣେ ମହାନ ନେତ୍ରୀ ଏବଂ ଭଲ ବାଗ୍ମୀ ଥିବା ଶିଳ୍ପ ଜଗତ ପକ୍ଷରୁ କୁହାଯାଇଛି। ୬୭ ବର୍ଷୀୟ ସୁଷମା ଦିଲ୍ଲୀର ଏମ୍ସରେ ହୃତପିଣ୍ଡ ଜନିତ ସମସ୍ୟା ଯୋଗୁ ମଙ୍ଗଳବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜଣେ ମହାନ ବ୍ୟକ୍ତିତ୍ୟଙ୍କୁ ଭାରତ ହରାଇଲା ବୋଲି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି। ଦେଶ ପ୍ରତି ତାଙ୍କର ରହିଥିବା ଅବଦାନ ସମସ୍ତଙ୍କ ଲାଗି ପ୍ରେରଣା ବୋଲି ଟୁଇଟରେ ଆଦାନୀ କହିଛନ୍ତି। ସୁଷମାଙ୍କ ନିଧନ ପରେ ଭାରତ ରାଜନୀତିରେ ଏକ ଗୌରବମୟ ଅଧ୍ୟାୟ ଶେଷ ହୋଇଥିବା ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି। ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ କ୍ଷେତ୍ରରେ ତାଙ୍କର ପକ୍ଷ ଅତ୍ୟନ୍ତ ଦୃଢ ଥିଲା। ଟେଲିକମ୍‌ ମନ୍ତ୍ରଣାଳୟ ଦାୟିତ୍ୱ ହେଉ କି ବିଭିନ୍ନ କ୍ଷେତ୍ର ନୀତି ନିର୍ଦ୍ଧାରଣ ଉପରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ ରହିଥିବା ବୋଲି ମିତ୍ତଲ ମତ ଦେଇଛନ୍ତି। ସୁଷମାଙ୍କ ସହ ଦେଶବାସୀଙ୍କ ଭାବନା ଯୋଡି ହୋଇ ରହିଥିଲା ବୋଲି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କହିଛନ୍ତି। ସେହିଭଳି ସୁଷମା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବେ ବୋଲି ଜେଏସ୍‌ଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମତ ଦେଇଛନ୍ତି। ଲୋକପ୍ରିୟ, ପରିଶ୍ରମୀ ଏବଂ ମାନବବାଦୀ ନେତ୍ରୀ ଭାବେ ସୁଷମା ଜନମାନସରେ ରହିବେ ବୋଲି ଆର୍‌ପିଜି ଏଣ୍ଟର ପ୍ରାଇଜେସ ଅଧ୍ୟକ୍ଷ ହର୍ଷ ଗୋଏଙ୍କା କହିଛନ୍ତି। ଭାରତ ଜଣେ ମହାନ ପାର୍ଲାମେଣ୍ଟାରିଆନ ଏବଂ ଲୋକଙ୍କ ଲିଡରଙ୍କୁ ହରାଇଲା ବୋଲି ଫିକି ସଭାପତି ସନ୍ଦିପ ସୋମାନି କହିଛନ୍ତି।

Share