ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ। ୨୦୧୪ ଡିସେମ୍ବର ୧୧ରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ପ୍ରତିବର୍ଷ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ ୨୦୧୫ ଜୁନ୍ ୨୧ରୁ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱରେ ପାଳନ କରାଯାଇଆସୁଛି। ପ୍ରଥମଥର ପାଳନ କରାଯାଇଥିବା ଯୋଗ ଦିବସରେ ବିଶ୍ୱର ୧୯୨ଟି ଦେଶରେ ଯୋଗର ଆୟୋଜନ କରାଯାଇଥିଲା। ଯେଉଁଥିରେ ୪୭ଟି ମୁସ୍ଲିମ ଦେଶ ମଧ୍ୟ ସାମିଲ ଥିଲେ। ଯୋଗ ଏମିତି ପ୍ରଭାବଶାଳୀ ଯାହା ମାଧ୍ୟମରେ କେବଳ ଶରୀର ସୁସ୍ଥ ରହି ନ ଥାଏ; ମସ୍ତିଷ୍କ ଏବଂ ଆତ୍ମାରେ ସନ୍ତୁଳନ ମଧ୍ୟ ରଖାଯାଇଥାଏ। ଯୋଗ ଶାରୀରିକ,ମାନସିକ ଏବଂ ବୌଦ୍ଧିକ ଶକ୍ତିର ବିକାଶ କରାଇଥାଏ। ବୈଦିକ ସଂହିତାରେ ତପସ୍ବୀଙ୍କ ଯୋଗ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି। ମୁନିଋଷିମାନେ ଧ୍ୟାନ କରୁଥିଲେ। ଏହା ଏକ ଯୋଗ। ହିନ୍ଦୁଧର୍ମରେ ସାଧୁ, ସନ୍ଥ ଏବଂ ଯୋଗୀଙ୍କ ଦ୍ୱାରା ଯୋଗ ସଭ୍ୟତାର ଆରମ୍ଭ ହୋଇଥିଲା। କିନ୍ତୁ ଆମେ ସେତିକି ସମୟ ଏବେ ଯୋଗ ପାଇଁ ଦେଇପାରୁନାହୁଁ। ବର୍ତ୍ତମାନ ଜଳ, ସ୍ଥଳ, ବାୟୁ ପ୍ରଦୂଷିତ। ତେଣୁ ଆମକୁ ସୁସ୍ଥ ରହିବାକୁ ହେଲେ ଯୋଗ କରିବା ଜରୁରୀ। ନଚେତ୍ ନାନା ବ୍ୟାଧିରେ ଆକ୍ରାନ୍ତ ହେବା ସ୍ଥିରନିଶ୍ଚିତ। ମଣିଷ ଆଜି ଏକ ପ୍ରକାର ବିଶୃଙ୍ଖଳିତ ଜୀବନଯାପନ କରୁଛି। ଯଥା ଖାଦ୍ୟପେୟରେ ଅନିୟମିତତା, ବିଷାକ୍ତ ଖାଦ୍ୟ ଖାଇବା, ବ୍ୟସ୍ତବହୁଳ ଜୀବନ ଆମକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିରୁ ନିସ୍ତାର ପାଇବା ପାଇଁ ଯୋଗ କରିବା ନିହାତି ଆବଶ୍ୟକ। ଖେଳିବା, ଚାଲିବା, ଦୌଡ଼ିବା, ପହଁରିବା ଗୋଟିଏ ଗୋଟିଏ ବ୍ୟାୟାମ ମଧ୍ୟ। ପ୍ରତିଦିନ ଏହି ବ୍ୟାୟାମରୁ ୧ରୁ୨ ଘଣ୍ଟା କରନ୍ତୁ। ସୁସ୍ଥ ତଥା ନିରାମୟ ଜୀବନଯାପନ କରିବେ। ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ।
ଯୋଗ ବିଭିନ୍ନ ପ୍ରକାର : ମନ୍ତ୍ରଯୋଗ, ଲୟଯୋଗ, ରାଜଯୋଗ, କର୍ମଯୋଗ, ଭକ୍ତିଯୋଗ।
ଯୋଗ ପରେ କ’ଣ କରିବେ : ଯୋଗ ବା ପ୍ରାଣାୟାମ ପରେ ଶରୀରକୁ ବିଶ୍ରାମ ଦରକାର। ତେଣୁ ଅତି କମ୍ରେ ୬ ଘଣ୍ଟା ବିଶ୍ରାମ ନିଅନ୍ତୁ।
ଯୋଗ ପରେ କ’ଣ ଖାଦ୍ୟ ଗ୍ରହଣ କରିବେ : ଯୋଗ କରିବା ପରେ ଗଜା ମୁଗ, ବୁଟ ଖାଆନ୍ତୁ। ସାଲାଡ୍ ମଧ୍ୟ ଖାଦ୍ୟରେ ସାମିଲ କରିପାରିବେ। ଏହା ଶରୀର ପାଇଁ ଖୁବ୍ ଲାଭଦାୟକ। ସବୁଜ ପନିପରିବା ମଧ୍ୟ ଖାଆନ୍ତୁ।