Categories: ଜାତୀୟ

ସୁସ୍ଥ ଭବିଷ୍ୟତ ଆଡ଼କୁ ଭାରତ

ନୂଆଦିଲ୍ଲୀ,୩୦-୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ରଙ୍ଗାରଙ୍ଗ ଉତ୍ସବରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ର ଶୁଭାରମ୍ଭ କରିଛନ୍ତି। ଭାରତକୁ ସୁସ୍ଥ ଭବିଷ୍ୟତ ଆଡ଼କୁ ଆଗେଇନେବାରେ ଏହା ସମୟର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିର ବିକାଶ ଯୋଗୁ ଜୀବନଶୈଳୀ ଶାରୀରିକ ଶ୍ରମହୀନ ହୋଇପଡିଛି। ଫିଟ୍‌ନେସ୍‌ରେ କିଛି ନିବେଶ କରିବାକୁ ପଡ଼େନାହିଁ ଏବଂ ବହୁତ ସୁଫଳ ମିଳିଥାଏ। ଦୈନନ୍ଦିନ ଜୀବନରେ ଜନସାଧାରଣଙ୍କୁ କ୍ରୀଡା ଓ ଶାରୀରିକ କାର୍ଯ୍ୟ ସହ ସାମିଲ କରାଇବା ଫିଟ୍‌ ଇଣ୍ଡିଆ ଅଭିଯାନର ଉଦ୍ଦେଶ୍ୟ। ନିଜ ଦେଶକୁ ଫିଟ୍‌ ରଖିବା ପାଇଁ ଚାଇନା, ଅଷ୍ଟ୍ରେଲିଆ, ଜର୍ମାନୀ ଭଳି ଦେଶ ଏଭଳି ଅଭିଯାନ ଆରମ୍ଭ କରିସାରିଲେଣି। ସଫଳତା ଓ ଫିଟ୍‌ନେସ ଅଙ୍ଗାଙ୍ଗୀ ଭାବେ ଜଡିତ। ସବୁ ସଫଳ ବ୍ୟକ୍ତି ଫିଟ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହି ଅଭିଯାନକୁ ଆଗେଇନେବା ଲାଗି କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ନେତୃତ୍ୱରେ ସରକାରୀ ଅଧିକାରୀ, ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ), ଜାତୀୟ କ୍ରୀଡ଼ା ମହାସଂଘ, ଘରୋଇ ସଂସ୍ଥା, ଫିଟ୍‌ନେସ୍‌ ପ୍ରୋତ୍ସାହନକାରୀମାନଙ୍କୁ ନେଇ ଏକ କମିଟି ଗଢ଼ାଯାଇଛି। ଫିଟ୍‌ନେସ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଆସିଥିବାବେଳେ ଏବେ ଏଥିରେ ଭିନ୍ନତା ଦେଖିବାକୁ ମିଳିଛି। କିଛି ଦଶନ୍ଧି ପୂର୍ବରୁ ଜଣେ ସାଧାରଣ ଲୋକ ଦିନକୁ ୮ରୁ ୧୦ କିଲୋମିଟର ଚାଲୁଥିଲେ, ସାଇକେଲ ଚଳାଉଥିଲେ କିମ୍ବା ଦୌଡୁଥିଲେ। ଟେକ୍‌ନୋଲୋଜିର ବିକାଶ ସହିତ ଶାରୀରିକ କାର୍ଯ୍ୟ କମିଯାଇଛି। ଫଳରେ ଯୁବପିଢ଼ିଙ୍କଠାରେ ମଧୁମେହ, ଉଚ୍ଚରକ୍ତଚାପ ଓ ଅନ୍ୟାନ୍ୟ ଜୀବନବ୍ୟାପୀ ରୋଗ ବୃଦ୍ଧିପାଉଛି, ଯାହା ଉଦ୍‌ବେଗଜନକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧୨ରୁ ୧୫ ବର୍ଷର ପିଲାଙ୍କୁ ମଧୁମେହ ଏବଂ ୩୦ ବର୍ଷର ଯୁବକଙ୍କୁ ହୃଦ୍‌ଘାତ ହେଉଛି। ତେଣୁ ବର୍ତ୍ତମାନର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ହେବ। ଫିଟ୍‌ନେସ ସମୟର ଆବଶ୍ୟକତା ବୋଲି ମୋଦି କହିଛନ୍ତି।
ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରିଜିଜୁଙ୍କ ସମେତ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତା ଓ ଅନ୍ୟମାନେ ଯୋଗଦେଇଥିଲେ। ସମସ୍ତଙ୍କ ସହଯୋଗ ଦ୍ୱାରା ଏହି ଅଭିଯାନକୁ ଏକ ନୂତନ ସୋପାନକୁ ନିଆଯାଇପାରିବ। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀରେ ଏହି ଅଭିଯାନ ଶୁଭାରମ୍ଭ ହୋଇଥିବାରୁ ରିଜିଜୁ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତର କ୍ରୀଡ଼ା ସଫଳତାକୁ ଉଚ୍ଚ ପ୍ରଶଂସା କରିଥିଲେ।

Share