ସୁସ୍ଥ ହେବା ପରେ ପୁଣିଥରେ କାହିଁକି କରୋନାରେ ସଂକ୍ରମିତ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୦।୪: କରୋନା ଭାଇରସରେ ସଂକ୍ରମିତ ହୋଇ ଏବେ ସାରା ବିଶ୍ୱରେ ପାଖାପାଖି ଲକ୍ଷାଧିକ ଲୋକ ସୁସ୍ଥ ହୋଇଥିବା ଖବର ଆସିଛି। ହେଲେ ଏମାନଙ୍କ ମଧ୍ୟରୁ କେତେଜଣ ପୁଣିଥରେ କରୋନାରେ ସଂକ୍ରମିତ ହେଉଥିବା ଶୁଣାଯାଇଛି। କିନ୍ତୁ ସୁସ୍ଥ ହେବା ପରେ ଏମାନେ କାହିଁକି ପୁଣିଥରେ କରୋନାରେ ସଂକ୍ରମିତ ହେଉଛନ୍ତି ତା’ର ସଠିକ ଉତ୍ତର ମିଳିପାରି ନାହିଁ। ଡାକ୍ତରଙ୍କ ସୂଚନା ଅନୁଯାୟୀ, ଯେଉଁମାନେ କରୋନା ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଛି। ଫଳରେ ସେମାନେ ପୁଣିଥରେ ସହଜରେ କରୋନାରେ ସଂକ୍ରମିତ ହୋଇଯାଉଛନ୍ତି। ହଂଗକଂଗ ବିଶ୍ୱବିଦ୍ୟାଳୟର ଫ୍ୟାଥୋଲାଜି ବିଭାଗର ପ୍ରଫେସର ଜନ୍‌ ନିକୋଲସ୍‌ କହିଛନ୍ତି, ସୁସ୍ଥ ଲୋକଙ୍କଠାରେ ଭାଇରସ କେବଳ ରେସ୍ପିରେଟରୀ ସିଷ୍ଟମର ସେଲ୍‌ ମଧ୍ୟକୁ ଏହା ପୁଣିଥରେ ସଂକ୍ରମିତ ହୋଇଥାଏ। ହେଲେ ଏହା ଏତେଟା କ୍ଷତିକାରକ ନୁହେଁ। ଗତ ସପ୍ତାହରେ ଦକ୍ଷିଣ କୋରିଆ ଓ ଚାଇନାରୁ ଏମିତି କିଛି ଘଟଣା ସାମ୍ନାକୁ ଆସିଥିଲା। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିଲା। ତେବେ ଚାଇନାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା କି କାରୋନା ସଂକ୍ରମିତଙ୍କ ନିକଟରେ ଖୁବ୍‌ କମ୍‌ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ଆଉ କେତେଜଣଙ୍କ ନିକଟରେ ଏହା ଆଦୌ ସୃଷ୍ଟି ହୋଇ ନ ଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଚାଇନାରେ ପ୍ରାୟ ୨୫ ପ୍ରତିଶତଙ୍କ ନିକଟରେ କରୋନାର କୌଣସି ଲକ୍ଷ୍ୟର ପକାଶ ପାଇ ନ ଥିଲା। ଏହାସହ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ମଧ୍ୟ ତଥ୍ୟ ମିଳି ନ ଥିଲା। ତେଣୁ ଏମାନେ ଯେ ଦ୍ୱିତୀୟଥର ଲାଗି କରୋନାରେ ସଂକ୍ରମିତ ନ ହେଲେ ତାହା କହିବା ଅସମ୍ଭବ।

Share