ସୁସ୍ଥ ହେଲା ପରେ ବି କରୋନା ପଜିଟିଭ୍‌ ରିପୋର୍ଟ ଆସୁଛି କିପରି

ଓ୍ବାଶିଂଟନ,୩।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ଲଢ଼େଇରେ ଧୀରେଧୀରେ ସଫଳତାର ଆଶା ସୃଷ୍ଟି ହେବାରେ ଲାଗିଛି। ଚିକିତ୍ସା ପରେ ବହୁ ସଂକ୍ରମିତ ସୁସ୍ଥ ହେଉଛନ୍ତି। ମାତ୍ର ସୁସ୍ଥ ହେଉଥିବା କିଛି ଲୋକଙ୍କ କରୋନା ସଂକ୍ରମଣ ରିପୋର୍ଟ ପଜିଟିଭ୍‌ ଆସୁଛି। ଏହାକୁ ନେଇ ଡାକ୍ତରମାନେ ସମସ୍ୟାରେ ପଡୁଛନ୍ତି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଟେକ୍ନିକାଲ ମୁଖ୍ୟ ମାରିଆ ବେନ୍‌ କେରଖୋଓ୍ବ କହିଛନ୍ତି ଯେ, କରୋନା ସଂକ୍ରମିତ ସୁସ୍ଥ ହେବାପରେ ତାଙ୍କର ଫୁସ୍‌ଫୁସ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିଥାଏ। ଏଥିରେ ପରବର୍ତ୍ତୀ ସମୟରେ ସଂକ୍ରମଣ ହେବାର ଆଶଙ୍କା ନ ଥାଏ। ତେବେ ମୃତ କୋଷିକା ଶରୀରରେ ଥିବାରୁ ରିପୋର୍ଟ ପଜିଟିଭ୍‌ ଆସିଥାଏ ବୋଲି ସେ କହିଛନ୍ତି। ସୁସ୍ଥ ହେବାପରେ ଶରୀରରରେ ରୋଗପ୍ରତିରୋଧକ ଶକ୍ତି କେତେ ଦୂର ସଶକ୍ତ ହୋଇଥାଏ ଏବେ ସେନେଇ ଚିକିତ୍ସକ ପରୀକ୍ଷା ନିରୀକ୍ଷା ଜାରି ରଖିଥିବା ସେ କହିଛନ୍ତି।

Share