ଅନୁଗୋଳ ଅଫିସ, ୨୩।୫ – ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାବେଳେ ଅନୁଗୋଳ ଜିଲାରେ ଚିକିତ୍ସିତ ହେଉଥିବା ମୋଟ୍ ୧୯ ପଜିଟିଭ୍ଙ୍କ ମଧ୍ୟରୁ ଶୁକ୍ରବାର ୧୫ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ଗତ ୧୦ ତାରିଖରେ ୧୩ ଜଣ ଓ ୧୧ ତାରିଖରେ ୨ ଜଣ ତାଳଚେର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୦ ଦିନ ଧରି ଚିକିତ୍ସିତ ହେବା ପରେ ସେମାନଙ୍କ ନମୁନା ପୁନଃ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ବାହାରିବା ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲରୁ ପଞ୍ଚମହଲାସ୍ଥିତ ଆଦର୍ଶ ବିଦ୍ୟାଳୟ ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନେ କ୍ୱାରାଣ୍ଟାଇନ୍ରେ ରହିବେ। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଜିଲାର ୧୯ ପଜିଟିଭ୍ଙ୍କ ମଧ୍ୟରୁ ଏକସମୟରେ ୧୫ ଜଣ ସୁସ୍ଥ ହେବା ଅନୁଗୋଳ ପାଇଁ ଏକ ଖୁସିର ଖବର ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ସୁସ୍ଥ ହୋଇଥିବା ସମ୍ପୃକ୍ତ ୧୫ ଜଣଙ୍କ ମଧ୍ୟରେ ଅନୁଗୋଳ ସହରର ଜଣେ ଓ ଜିଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରର ୧୪ ଜଣ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କୁ ଆମ୍ବୁଲାନ୍ସରେ ଆଦର୍ଶ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ଅଣାଯାଇଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଅନୁଗୋଳ ଜିଲାର ମୋଟ୍ ୪୨୩୬ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୩୪୭୮ ଜଣଙ୍କ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି। ଯେଉଁଥିରେ ୩୪୫୯ ନେଗେଟିଭ୍ ଥିବାବେଳେ ୧୯ ଜଣ ପଜିଟିଭ ଓ ୭୫୮ଟିର ଫଳାଫଳ ଆସିବାକୁ ବାକି ଅଛି ବୋଲି ଜିଲା ସିଡିଏମ୍ଓ ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି।