Categories: ଜାତୀୟ

ସୁସ୍ଥ ହେଲେ ଦିଲ୍ଲୀର ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି

ନୂଆଦିଲ୍ଲୀ,୧୫।୩: ରାଜଧାନୀ ଦିଲ୍ଲୀର ମୟୁର ବିହାର ଫେଜ ୨ରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତି କୋଭିଡ- ୧୯ରେ ପୀଡ଼ିତ ଥିବା ପ୍ରଥମେ ଚିହ୍ନଟ କରାଯାଇଥିଲା। ଏହାପରେ ତାଙ୍କୁ ଆଇସୋଲେଶନ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ମିଳିଛି। ଶନିବାର ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ବ୍ୟକ୍ତି ଜଣକ ଫେବୃୟାରୀ ୨୨ରେ ଇଟାଲିରୁ ଫେରିଥିଲେ। ଏହାସହ ସେ ହୋଟେଲରେ ଏକ ଜନ୍ମଦିନ ଉତ୍ସବରେ ମଧ୍ୟ ବହୁ ଲୋକଙ୍କ ସହ ମିଳାମିଶା କରିଥିଲେ। ସେପର୍ଯ୍ୟନ୍ତ ସେ କରୋନା ଭାଇରସରେ ପୀଡିିତ ଥିବା ଜଣାପଡି ନ ଥିଲା। ମାର୍ଚ୍ଚ ୨ରେ ସେ କୋଭିଡ -୧୯ରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କୁ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୦୫ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା କହିଥିଲା ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ହେଲେ ଏମାନଙ୍କ ମଧ୍ୟରୁ କେହି କୋଭିଡ -୧୯ରେ ପୀଡିତ ଥିବା ଜଣାପଡିନାହିଁ।

Share