![](https://www.dharitri.com/wp-content/uploads/2020/05/Delhi-Police-Anti-terror-unit-personnel-defeated-covid.jpg)
ନୂଆଦିଲ୍ଲୀ,୮।୫: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କେବଳ ସାଧାରଣ ଲୋକ ନୁହଁନ୍ତି କରୋନା ଯୋଦ୍ଧା ସାଜିଥିବା ଦିଲ୍ଲୀ ପୋଲିସର ୭୦ଜଣ କର୍ମୀ ମଧ୍ୟ ଏହା କବଳରୁ ବର୍ତ୍ତିପାରି ନାହାନ୍ତି। ଇତିମଧ୍ୟରେ ଦିଲ୍ଲୀ ପୋଲିସର ଆଣ୍ଟି ଟେରର ୟୁନିଟ୍ ସ୍ପେଶାଲର ହେଡ୍ କନ୍ଷ୍ଟେବଳ ଅରୁଣ ତେବତିଆ କରୋନା ପଜିଟିଭ୍ ହୋଇଥିଲେ। ଏବେ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ଘରକୁ ଫେରିଛନ୍ତି। ଘରକୁ ଫେରିବା ସମୟରେ ଅରୁଣଙ୍କୁୁ ପଡ଼ୋଶୀମାନେ ଫୁଲ ବର୍ଷା କରିବା ସହ ତାଳି ମାରି ସ୍ବାଗତ କରିଥିଲେ। ଲୋକଙ୍କ ମନରେ ତାଙ୍କ ପାଇଁ ଏଭଳି ସମ୍ମାନ ଓ ଭଲପାଇବା ଦେଖି ଅରୁଣ ଖୁସି ହେବା ସହ ହାତଯୋଡ଼ି ସେମାନଙ୍କୁ ଅଭିବାଦନ ଜଣାଇଥିଲେ। ସୂଚନା ମୁତାବକ ଦିଲ୍ଲୀ ସ୍ପେଶାଲ ସେଲ୍ର ଏପର୍ଯ୍ୟନ୍ତ ୪ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଦିଲ୍ଲୀ ଭରତ ନଗର ପୋଲିସ ଥାନାରେ ମୁତୟନ ଥିବା ୩୧ ବର୍ଷୀୟ କନଷ୍ଟେବଳ ଅମିତ ରାଣାଙ୍କ କରୋନାରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ପରିବାରଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୁରୁବାର ୧କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।