ସୁସ୍ଥ ହୋଇ ଫେରିଲେ କେପି

ଢେଙ୍କାନାଳ ଅଫିସ୍‌, ୧୭ା୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂଦେଓ (କେପି) ସୁସ୍ଥ ହୋଇ ଫେରିଛନ୍ତି। ଖୁବ୍‌ ଶୀଘ୍ର ସେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ରାଜବାଟୀ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ କେପି କହିଲେ, ଗଁଦିଆ ବ୍ଲକ ନିହଲପ୍ରସାଦ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପ୍ରଚାର କରୁଥିବା ବେଳେ ସେ ଅଂଶୁଘାତର ଶିକାର ହୋଇଥିଲେ। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ୨ ଦିନ ଆଇସିୟୁରେ ରଖାଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ବୁଧବାର ସେ ପୁଣି ନିର୍ବାଚନୀ ପ୍ରଚାରରେ ବାହାରିବେ ବୋଲି କହିଛନ୍ତି। ନିର୍ବାଚନ ରଣନୀତି ସମ୍ପର୍କିତ ପ୍ରଶ୍ନରେ ସେ କହିଲେ, ସବୁ ଜନସାଧାରଣଙ୍କ ଉପରେ ନିର୍ଭର କରୁଛି। ସେମାନେ ଯାହା ନିଷ୍ପତ୍ତି ନେବେ ତାହା ହିଁ ଚୂଡ଼ାନ୍ତ ହେବ।