Advertisement

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ବାଲିଗୁଡା,୧୫ା୧୨(ଡି.ଏନ୍‌.ଏ.)-ବାଲିଗୁଡା ପାତ୍ରସାହି ନିକଟରେ ଚଳିତ ମାସ ୧୦ ତାରିଖରେ ବାଟାଗୁଡାର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ୨ଜଣ ଦୁର୍ବୃତ୍ତ ଘରୁ ଡାକିଆଣି ଗୁଳିକରି ହତ୍ୟା କରିଥିଲେ। ଘଟଣାକୁ ୪ଦିନ ବିତିଯାଇଥିଲେ ବି ପୋଲିସ ଅଭିଯୁକ୍ତଙ୍କ ଟେର୍‌ ପାଉନି।
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶନିବାର ଅଭିମନ୍ୟୁଙ୍କ ଗ୍ରାମ ବାଟାଗୁଡାଠାରେ ୫୯ ନଂ. ଜାତୀୟ ରାଜପଥକୁ ଗ୍ରାମବାସୀ ସକାଳ ୯ଟାରୁ ଅବରୋଧ କରିଥିଲେ। ଫଳରେ ବାଲିଗୁଡା ଠାରୁ ବ୍ରହ୍ମପୁର-ରାୟପୁର-ରାୟଗଡା, ଭବାନୀପାଟଣା ଭଳି ବିଭିନ୍ନ ଅଞ୍ଚଳକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଉଭୟ ପାର୍ଶ୍ୱରେ ଶହଶହ ଯାନବାହନ ଅଟକି ରହିଥିବାବେଳେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅଭିଯୁକ୍ତମାନେ ଗିରଫ ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ। ଘଟଣା ସ୍ଥଳରେ ପ୍ରଶାସନ ତରଫରୁ ସ୍ଥାନୀୟ ବିଡ଼ିଓ ନରେଶ ଚନ୍ଦ୍ର ଶବର ଏବଂ ପୋଲିସ ବିଭାଗ ତରଫରୁ ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଫୋନ ଯୋଗେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆଗାମୀ ୪/୫ ଦିନ ମଧ୍ୟରେ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ୪ଟାରେ ରାସ୍ତାରୋକୋ ହଟିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share