ସୂଚନା ଫଳକରେ ସୀମିତ ପୁନରୁଦ୍ଧାର

ଡୁଙ୍ଗୁରିପାଲି, ୧୩ା୬(ଡି.ଏନ.ଏ.) – ସୁବର୍ଣ୍ଣପୁର ଜିଲା ଡଙ୍ଗୁରିପାଲି ବ୍ଲକ ସୁନାପାଲି ଗ୍ରାମ ପଞ୍ଚାୟତରସଦର ଗଁାରେ ଥିବା ଯୋଗୀକଟା(ଜଳାଶୟ)ର ପଙ୍କୋଦ୍ଧାର ଓ ଅନ୍ୟାନ୍ୟ କାମ ପାଇଁ ପାଣିକୁ କଟାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରେ ଏଥିପାଇଁ ୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ମାସକରୁ ଊର୍ଦ୍ଧ୍ୱ ସମୟ ହେବ ବନ୍ଧ ହୁଡାରେ ସୂଚନା ଫଳକ ବି ଲଗାଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ହାତରେ କାମ କରିବାର କାର୍ଯ୍ୟାଦେଶ ରହିଛି। ହେଲେ ଅଦ୍ୟାବଧି କୌଣସି କାମ ହୋଇନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜୁନ ୧୫ ପରେ ସାଧାରଣତଃ ମାଟିକାମ ବନ୍ଦ କରିବାକୁ ନିର୍ଦ୍ଦେଶ ଥିବାରୁ ଚଳିତ ଋତୁରେ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ସବୁ ଅଭିଯୋଗ ନେଇ ଗ୍ରାମବାସୀ ମଙ୍ଗଳବାର ଡୁଙ୍ଗୁରିପାଲି ବିଡିଓଙ୍କୁ ଭେଟି ଏ ନେଇ ଫେରାଦ ହୋଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରକଳ୍ପ କାମ ଢେର ବିଳମ୍ବରେ ଆରମ୍ଭ କରାଗଲା। ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହୋଇଥିଲେ ଲୋକେ ଅଗାମୀ ବର୍ଷମାନଙ୍କରେ ଜଳାଭାବରୁ ସୁବିଧା ପାଇ ପାରିଥାନ୍ତେ। ହେଲେ କାମ ତ ହେଲାନି ବରଂ ଏହି ନିଦାଘ ଗ୍ରୀଷ୍ମରେ ଦୁଇଓ୍ବାର୍ଡ ବିଶିଷ୍ଟ ସୁନାପାଲି ଗଁାର ଲୋକେ ପାଣି ପାଇଁ ଛଟପଟ ହେଲେ। କେନାଲ ପାଣି ବନ୍ଦ ହୋଇଯାଇଥିବା ବେଳେ ଗାଁରେ ଥିବା କେତେକ ନଳକୂପରୁ ଆବଶ୍ୟକ ପାଣି ବାହାରୁନାହିଁ। ଯେଉଁ କେତୋଟିରୁ ପାଣି ବାହାରୁଛି ସେଥିରେ ଏତେବଡ ଗଁାର ଲୋକଙ୍କ ଜଳ ଆବଶ୍ୟକତା ପୂରଣ କରି ପାରୁନାହିିଁ। ହେଲେ କଷ୍ଟେମଷ୍ଟେ ସେଥିରେ ଗ୍ରାମବାସୀ କାମ ଚଳାଉଛନ୍ତି। ଏପରିସ୍ଥଳେ କାମ ଏବେ ଆଗେଇବା ସମ୍ଭବ ନ ଥିବାରୁ ଅବିଳମ୍ବେ କଟା ଯାଇଥିବା ବନ୍ଧକୁ ତୁରନ୍ତ ମାଟି ପକାଇ ବନ୍ଦ କରିବାକୁ ବିଡିଓଙ୍କୁ ଜଣାଇଥିବା ଗଁାର ବୁଦ୍ଧଦେବ ପଧାନ, ହରିହର ସହୁ, ରଞ୍ଜନ ସେଠ, ନୀଳକଣ୍ଠ ପଧାନ, ରାଜକୁମାର ପଧାନ, ପ୍ରକାଶ ବିଶି, ମୀନକେତନ ମେଶୁଆ, ଦାମୋଦର କର୍ଣ୍ଣ ପ୍ରମୁଖ କହିଛନ୍ତି। ଏ ନେଇ ବିଡିଓ ସହଦେବ ସମାଧିଆଙ୍କୁ ଯୋଗାଯୋଗ କରିବାରୁ ମୌସୁମୀ ଦ୍ୱାରଦେଶରେ। ତେଣୁ ଏବେ କାମ ସମ୍ପୂର୍ଣ୍ଣ ହେବା ଆଶାକ୍ଷୀଣ। ତେଣୁ କଟାଯାଇଥିବା ବନ୍ଧକୁ ତୁରନ୍ତ ବନ୍ଦ କରାଯିବ ବୋଲି କହିଛନ୍ତି।