ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ବାଳକ ମୃତ

ବାଲେଶ୍ୱର ଅଫିସ,୨୮।୫: ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଶଶିକାନ୍ତ ଦାସଙ୍କ ପୁଅ ହରିଶ(୧୫)।

ସୂଚନାନୁଯାୟୀ, ହରିଶ ପୂର୍ବାହ୍ନ ୯ଟାରେ ସାଙ୍ଗମାନଙ୍କ ସହ ଗାଧୋଇବା ଲାଗି ରସୁଲପୁର ନଦୀଘାଟକୁ ଯାଇଥିଲେ। ଗାଧୋଇବା ବେଳେ ନଦୀ ମଧ୍ୟରେ ଥିବା ଏକ ଗଭୀର ଗଣ୍ଡରେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ଭାସିଯାଉଥିବା ଦେଖି ତାଙ୍କ ସାଙ୍ଗ ଏବଂ ଗ୍ରାମବାସୀ ହରିଶଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କୁ ଉଦ୍ଧାର କରାଯାଇପାରି ନ ଥିଲା। ଏନେଇ ବାଲିଆପାଳ ଦମକଳ ବିଭାଗକୁ ଖବର ଦିଆଯାଇଥିଲା। ପରେ ଅଗ୍ନିଶମ ବିଭାଗ କର୍ମଚାରୀ ନଦୀରେ ବହୁ ଖୋଜାଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ। ଏଥିସହ ଖବର ପାଇ ବାଲିଆପାଳ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତେବେ ହରିଶଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।