‘ସୂର୍ଯ୍ୟବଂଶୀ’ରେ ଅକ୍ଷୟଙ୍କ ଷ୍ଟଣ୍ଟ୍‌

ମୁମ୍ବାଇ: ଆକ୍ସନ ପାଇଁ ବଲିଉଡରେ ପ୍ରିସିଦ୍ଧି ଅର୍ଜନ କରିବା ସହିତ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଛି ବୋଲି ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରକାଶ କରିଛନ୍ତି। ୫୧ ବର୍ଷୀୟ ଏହି କଳାକାର ୧୯୯୧ରେ ‘ସୌଗନ୍ଧ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ସନ୍‌ ଷ୍ଟାରଙ୍କ ମଧ୍ୟରୁ ଅକ୍ଷୟ କୁମାର ଅନ୍ୟତମ। ‘ଖିଲାଡି’ ସିରିଜ୍‌ରେ ତାଙ୍କ ଭିନ୍ନ ରୁଚିର କଳାର ପରିଚୟ ମିଳିଥାଏ। ‘ଖିଲାଡି’, ‘ମେଁ ଖିଲାଡି ତୁ ଅନାଡି’, ‘ସବ୍‌ସେ ବଡା ଖିଲାଡି’, ‘ଖିଲାଡିଓଁ କା ଖିଲାଡି’, ‘ଇଣ୍ଟରନ୍ୟାଶନାଲ ଖିଲାଡି’, ‘ଖିଲାଡି ୪୨୦’ ଏବଂ ‘ଖିଲାଡି ୭୮୬’ ଆଦି ସିରିଜରେ ଅକ୍ଷୟଙ୍କ କଳାତ୍ମକ ପ୍ରଦର୍ଶନର ପରିଚୟ ଦେଖିବାକୁ ମିଳେ।
ଅକ୍ଷୟ ବର୍ତ୍ତମାନ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରୁଛନ୍ତି। ଏଥିରେ କିଛି ଷ୍ଟଣ୍ଟ କରିଥିବାର ଭିଡିଓ ସେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ଅକ୍ଷୟ ତାଙ୍କର ଦୀର୍ଘ ଦିନର ସହଯୋଗୀ କାଟ୍ରିନା କୈଫ୍‌ଙ୍କ ସହିତ ‘ସୂର୍ଯ୍ୟବଂଶୀ’ରେ ଏକତ୍ର ହେବାର ସୁଯୋଗ ପାଇଛନ୍ତି। ଏହି ଫିଲ୍ମ ୨୦୨୦ ମାର୍ଚ୍ଚ ୨୭ରେ ରିଲିଜ ହେବାର ଅଛି।

Share