ସୂର୍ଯ୍ୟମଣିଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୨୯।୨(ବ୍ୟୁରୋ): ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ
ଲାଗି ଓଡ଼ିଶାର ସୂର୍ଯ୍ୟମଣି ବେହେରାଙ୍କୁ ମିଳିଛି ଜାତୀୟ ପୁରସ୍କାର। ଜାତୀୟ ବିଜ୍ଞାନ ଦିବସ ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ପ୍ରଫେସର ବେହେରା ପୁସ୍ତକ ଏବଂ ଗଣମାଧ୍ୟମ ମାଧ୍ୟମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ୨୦୧୯ ଲାଗି ତାଙ୍କୁ ଏହି ସମ୍ମାନ ମିଳିଛି। ରାଷ୍ଟ୍ରପତି କୋବିନ୍ଦ ତାଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରିଥିଲେ।
ପ୍ରଫେସର ବେହେରା ବିଜ୍ଞାନ ସମ୍ବନ୍ଧରେ ଓଡ଼ିଆ ଏବଂ ଇଂଲିଶରେ ମୋଟ ୪୦ ପୁସ୍ତକ ଲେଖିଥିବା ବେଳେ ବିଭିନ୍ନ ଖବରକାଗଜରେ ତାଙ୍କର ଏକ ହଜାରରୁ ଊର୍ଦ୍ଧ୍ୱ ଲେଖା ପ୍ରକାଶିତ ହୋଇଛି। ତାଙ୍କର ପୁସ୍ତକ ମଧ୍ୟରେ ‘ବିଜ୍ଞାନରୁ ଜ୍ଞାନ’, ‘ଯନ୍ତ୍ର କରୁଛି ମନ୍ତ୍ର’, ‘ବିଜ୍ଞାନ ସାହିତ୍ୟ ଦର୍ପଣ’, ‘ବିଜ୍ଞାନ ମେଳା’ ଆଦି ରହିଛି। ଏହାବ୍ୟତୀତ ଔଷଧୀୟ ବୃକ୍ଷ ଉପରେ ସେ ଲେଖିଥିବା ପୁସ୍ତକ ବିଶେଷଭାବେ ଆଦୃତ ହୋଇଛି। ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ଉପରେ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ଏକ୍ଷେତ୍ରରେ କାମ କରୁଥିବା ଅନେକ ଲୋକଙ୍କୁ ସହାୟକ ହୋଇଛି। ଜନପ୍ରିୟ ବିଜ୍ଞାନ ମଞ୍ଚ ଗଠନ କରି ସେ ଲେଖକ ଏବଂ ଖବରଦାତାମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଲେଖା ଲେଖିବା ପାଇଁ ପ୍ରଶିକ୍ଷଣ ଦେବା ସହ ଉତ୍ସାହିତ କରୁଛନ୍ତି।

Share