ସୂର୍ଯ୍ୟମନ୍ଦିରରେ ପୂଜା

ନୂଆକରି ଆରମ୍ଭ ହୋଇଥିବା ଯାତ୍ରାନୁଷ୍ଠାନ ‘ଅପେରା ସୂର୍ଯ୍ୟମନ୍ଦିର’ର ପ୍ରଥମ ନାଟକ ହେଉଛି ‘ପୁଅ ଯିବ ଶାଶୁଘର’। ସାଧାରଣତଃ ଝିଅମାନେ ଶାଶୁଘରକୁ ଯାଉଥିବା ବେଳେ ‘ଅପେରା ସୂର୍ଯ୍ୟମନ୍ଦିର’ ଏଥର ପୁଅମାନଙ୍କୁ ଶାଶୁଘରକୁ ପଠେଇବାର ଯୋଜନା କରୁଛି। ଏହି ନାଟକରେ ରହିଛି ଗୋଟିଏ ଆଦର୍ଶ ଝିଅର ଚରିତ୍ର। ସେ ଯୁକ୍ତି କରେ ଯେ, ଓଡ଼ିଆ ଘରର ଝିଅମାନେ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର। ସେମାନେ ବାହା ହୁଅନ୍ତି। ମଥାରେ ଓଢ଼ଣାଟାଣି ସେ ଶାଶୁଘରକୁ ଯାଆନ୍ତି। ସ୍ବାମୀକୁ ନେଇ ସଂସାର ଗଢ଼ନ୍ତି। ଏହା ହେଉଛି ସବୁ ଓଡ଼ିଆ ଝିଅଙ୍କର ସ୍ବପ୍ନ। ଯଦି କେହି ତା’ ସ୍ବାମୀକୁ ଘରଜ୍ୱାଇଁଆ କହେ ତା’ହେଲେ ସେ ସହିପାରେନି। ସ୍ବାମୀକୁ ବାପ ଘରେ ଘରଜ୍ୱାଇଁଆ ଆସନରେ ଦେଖି କୌଣସି ଓଡ଼ିଆ ଝିଅ କେବେ ସୁଖୀ ହୁଏ ନାହିଁ।

ସୂଚନାଯୋଗ୍ୟ, ଏମିତି ଏକ ଚରିତ୍ର ମିଳିଛି ଅଭିନେତ୍ରୀ ପୂଜାଙ୍କୁ। ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଥିବା ନୂଆଯାତ୍ରା ସିଜନ୍‌ରେ ପୂଜା ଓରଫ୍‌ ପୂଜାରାଣୀ ବିଶ୍ୱାଳଙ୍କୁ ଏଭଳି ଏକ ଚରିତ୍ରରେ ଦେଖିବାକୁ ପାଇବେ ଯାତ୍ରା ଦର୍ଶକ। ‘ଅପେରା ସୂର୍ଯ୍ୟମନ୍ଦିର’ର ପ୍ରଥମ ନାଟକ ‘ପୁଅ ଯିବ ଶାଶୁଘର’ରେ ପୂଜା ପୋଲିସ୍‌ ଇନ୍ସପେକ୍ଟର ମାନସୀ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ସେ ଯାହାକୁ ବାହା ହେଉଛନ୍ତି ସେ ଘରଜ୍ୱାଇଁଆ ହୋଇ ଆସି ତାଙ୍କ ବାପ ଘରେ ରହୁଛି। ଏକଥାକୁ ମାନସୀ ବରଦାସ୍ତ କରିପାରୁନାହିଁ। ବାପ ଉପରେ ବିରକ୍ତ ହେଉଛି। ସ୍ବାମୀକୁ ଟର୍ଚ୍ଚର କରୁଛି। କାରଣ ସେ ଚାହୁଁନାହିଁ ଯେ, ତା’ ସ୍ବାମୀ ତା’ ଘରେ ରହୁ।

ଚରିତ୍ରଟିରେ ଉଭୟ ପଜିଟିଭ୍‌ ଓ ନେଗେଟିଭ୍‌ ଟଚ୍‌ ରହିଥିଲେ ମଧ୍ୟ ସାମଗ୍ରିକ ଭାବରେ ଚରିତ୍ରଟି ଯେ ଏକ ମହାନ୍‌ ଆଦର୍ଶ ଉପରେ ଠିଆ ହୋଇଛି ସେକଥାକୁ ଅସ୍ବୀକାର କରାଯାଇ ପାରିବନି। ପୂଜା ମଧ୍ୟ ନିଜର ଚରିତ୍ରଟିକୁ ନେଇ ଖୁବ୍‌ ଆଶାବାଦୀ ଅଛନ୍ତି। ଏଥିରେ ତାଙ୍କ ପାଇଁ ଭରପୂର ଅଭିନୟର ସୁଯୋଗ ରହିଛି। ଆଉ ଦର୍ଶକ ନିଶ୍ଚିତ ଭାବରେ ତାଙ୍କୁ ଗ୍ରହଣ କରିବେ ବୋଲି ପୂଜା ମତବ୍ୟକ୍ତ କରନ୍ତି। ଏହି ନାଟକଟିକୁ ଗଣେଶ ରାଉତ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ରୁମୋଚନ ମହାନ୍ତି। ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ମାୟାବିନୀ ମୌସୁମୀ’ ଏବଂ ‘ଭିତିରି କଥା’।

Share