ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ଆମିକସ୍‌ କ୍ୟୁରି

କୋଣାର୍କ, ୧୩।୮(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସୁରକ୍ଷା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଆମିକସ୍‌ କ୍ୟୁରି ଆଡଭୋକେଟ୍‌ ଏନ୍‌.କେ. ମହାନ୍ତି ସୋମବାର ମନ୍ଦିରର ସ୍ଥିତି ପରଖିଛନ୍ତି। ବର୍ଷା ସମୟରେ ମନ୍ଦିର ପରିସରରେ ପାଣି ଜମିରହିବା, ମନ୍ଦିରର ମୁଖ୍ୟ ଆକର୍ଷଣ ଜଗମୋହନକୁ ଚାରିପଟେ ଘେରିଥିବା ଲୁହାପାଇପ ଭାରା, ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପଥରଖଣ୍ଡର ଅବକ୍ଷୟ ଆଦି ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଏଏସ୍‌ଆଇ ପକ୍ଷରୁ ମନ୍ଦିରର ବାସ୍ତବ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅନ୍ଧାରରେ ରଖାଯାଉଥିବାନେଇ ଅବଗତ କରିଥିଲେ। ପରେ ଆମିକସ୍‌ କୁରି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଲେ ଯେ, ମନ୍ଦିରର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଆସିଛି। ଖୁବଶୀଘ୍ର ସୂର୍ଯ୍ୟମନ୍ଦିର ସଂରକ୍ଷଣ ସହିତ ଜଡିତ ଷ୍ଟିଅରିଂ କମିଟି ସହ ବୈଠକ ଆୟୋଜିତ ହେବ। ସେ ସମୟରେ ସମସ୍ତ ତଥ୍ୟ ଦେବି। ଏହି ଗସ୍ତସମୟରେ ଆମିକସ୍‌ କ୍ୟୁରିଙ୍କ ସହିତ ସୂର୍ଯ୍ୟମନ୍ଦିର ବିଶେଷଜ୍ଞ କମିଟିର ସଦସ୍ୟ ତଥା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଡ. ଏନ୍‌.ସି.ପାଲ୍‌ ମନ୍ଦିର ପରିଦର୍ଶନ କରିଥିଲେ। ଡକ୍ଟର ପାଲ୍‌ ମନ୍ଦିରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆମିକସ୍‌ କ୍ୟୁରିଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିବା ଜଣାଯାଇଛି।