ସୂର୍ଯ୍ୟୋଦୟରୁ ରାତି ୯ ଯାଏ ଖୋଲାରହିବ ଦେଶର ୧୦ କୀର୍ତ୍ତିରାଜି: ତାଲିକାରେ ଭୁବନେଶ୍ୱରର ରାଜାରାଣୀ ମନ୍ଦିର

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶର ୧୦ ପ୍ରମୁଖ ଐତିହାସିକ କୀର୍ତ୍ତିରାଜିକୁ ସୂର୍ଯ୍ୟୋଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଉକ୍ତ ୧୦ କୀର୍ତ୍ତିରାଜି ମଧ୍ୟରେ ରହିଛି ଭୁବନେଶ୍ୱରର ରାଜାରାଣୀ ମନ୍ଦିର। ଏକାଦଶ ଶତାବ୍ଦୀରେ ନିର୍ମିତ ରାଜାରାଣୀ ମନ୍ଦିର ତାଲିକାର ଶୀର୍ଷରେ ରହିଛି।
ଜନସାଧାରଣ ତଥା ପର୍ଯ୍ୟଟକଙ୍କ ସୁବିଧା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେମାନେ ଯେପରି ଏହି ଐତିହ୍ୟସ୍ଥଳୀଗୁଡ଼ିକୁ ବୁଲିବା ସହ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଅଧିକ ସମୟ ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ଭ୍ରମଣ ସମୟକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଐତିହ୍ୟ ସ୍ଥଳୀଗୁଡ଼ିକ ସକାଳ ୯ଟାଠାରୁ ଅପରାହ୍ନ ସାଢ଼େ ୫ଟା ୩୦ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଖୋଲା ରହୁଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ଟି ଐତିହ୍ୟସ୍ଥଳୀରେ ବର୍ଦ୍ଧିତ ଭ୍ରମଣ ସମୟ ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆଉକିଛି ଐତିହାସିକ କୀର୍ତ୍ତିରାଜି ପାଇଁ ତାହା ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୧୦ କୀର୍ତ୍ତିରାଜି ମଧ୍ୟରେ ରାଜାରାଣୀ ମନ୍ଦିର, ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାଓ ଦୁହ୍ଲାଦେଓ ମନ୍ଦିର, ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧିସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁଁ ସମାଧିସ୍ଥଳ, କର୍ନାଟକର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲସ୍ଥିତ କୀର୍ତ୍ତିରାଜି, କର୍ନାଟକ ବିଜୟପୁରାସ୍ଥିତ ଗୋଲ ଗମ୍ବୁଜ, ମହାରାଷ୍ଟ୍ର ଗଡ଼ଚିରୌଲି ଅନ୍ତର୍ଗତ ଛାମୁର୍ସି ମର୍କଣ୍ଡ ମନ୍ଦିରମାଳା, ଉତ୍ତରପ୍ରଦେଶ ବାରାଣସୀସ୍ଥିତ ବୈଧଶାଳା ମନମହଲ, ଗୁଜରାଟ ପଟନସ୍ଥିତ ରାଣୀ କି ଭାଓ ରହିଛି।

Share