ସୂର୍ଯ୍ୟୋପରାଗ: ପଠାଣି ସାମନ୍ତ ପ୍ଲାନେଟାରିୟମରେ ଦର୍ଶକଙ୍କ ଗହଳି, ଆକାଶ ମେଘାଚ୍ଛନ୍ନ ଲାଗି ଦେଖିବାରୁ ବଞ୍ଚିତ

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ଆରମ୍ଭ ହୋଇଛି ଚଳିତ ବର୍ଷର ତୃତୀୟ ତଥା ବିରଳ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଦୃଶ୍ୟ ଦେଖିବା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ, ବୁର୍ଲାସ୍ଥିତ ଅବଦୁଲ କଲାମ ପ୍ଲାନେଟାରିୟମ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପରିସରରେ ଲୋକ ଓ ଛାତ୍ରୀଛାତ୍ରଙ୍କ ଗହଳି ଦେଖିବାକୁ ମିଳିଛି। ତେବେ କେତେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ଥିବାରୁ ପରାଗ ଦେଖିବାରୁ ଲୋକେ ବଞ୍ଚିତ ହୋଇଛନ୍ତି। ସେହିଭଳି ବୁର୍ଲାରେ ମଧ୍ୟ ବର୍ଷା ହେଉଥିବା ଜଣାପଡ଼ିଛି।

ଅପରପକ୍ଷେ ପରାଗ ସକାଳ ୮ଟା ୧୯ ମିନିଟ ୨୪ ସେକେଣ୍ଡରେ ସ୍ପର୍ଶ କରିଥିବା ବେଳେ ଦିନ ୧୧ଟା ୨୯ ମିନିଟ ୧୬ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହି ସମୟ ମଧ୍ୟରେ ସୂର୍ଯ୍ୟ କିରଣ ଆଖିରେ ପଡ଼ିଲେ କ୍ଷତି କରିବ। ଏଣୁ ଖାଲି ଆଖିରେ ଏହାକୁ ଦେଖିବା ଲାଗି ବାରଣ କରାଯାଇଛି। ହେଲେ ଦୃଶ୍ୟକୁ ନିରାପଦରେ ଦେଖିବା ପାଇଁ ପ୍ଲାନେଟାରିୟମରେ ସୌର ଚଷମା ଯୋଗାଇ ଦିଆଯାଇଛି। ଏଥିସହ ଏକ ବଡ଼ ପ୍ରୋଜେକ୍ଟର ଓ ଟେଲିସ୍କୋପ୍‌ର ବନ୍ଦୋବସ୍ତ କରାଯାଇଛି।

ପ୍ରକାଶଯୋଗ୍ୟ, ଏହି ବିରଳ ସୂର୍ଯ୍ୟୋପରାଗ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଓ ଓଡ଼ିଶାରେ ଆଶିଂକ ଭାବେ ଦେଖାଯାଉଛି। ଏହା ୩ ଘଣ୍ଟା ୯ ମିନିଟ ରହିବ। ଦୀର୍ଘ ଦଶବର୍ଷ ପରେ ଓଡ଼ିଶାରେ ଏଭଳି ବିରଳ ସୂର୍ଯ୍ୟୋପରାଗ ଦେଖିବାକୁ ମିଳୁଛି।

Share