ସୂର୍ଯ୍ୟୋପରାଗ ଲାଗି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସ୍ତୁତ ହେଲା ନୀତିକାନ୍ତି

ଆରଡ଼ି,୨୫।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସୂର୍ଯ୍ୟୋପରାଗ ଲାଗି ବୁଧବାର ସମସ୍ତ ନୀତିକାନ୍ତି ପ୍ରସ୍ତୁତ ହୋଇଛି । ବିରଜା ପଞ୍ଜିକା ଅନୁସାରେ ବୁଧବାର ରାତ୍ର ୮ଟା୧୯ରୁ ଗୁରୁବାର ପୂର୍ବାହ୍ନ ୧୧ଟା୨୯ ପର୍ଯ୍ୟନ୍ତ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି । ଏହି ସମୟରେ ମନ୍ଦିରରେ ପହଡ଼ ପଡ଼ିବା ସହ ବାବା ଆଖଣ୍ଡଳମଣିଙ୍କ ପୂଜାର୍ଚ୍ଚନା ବନ୍ଦ ରହିବା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଦ୍ୱାରା ସ୍ଥିର ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ରାତିରେ ବାଟୁଳା ଭୋଗ କରାଯାଇ ସମସ୍ତ ପୂଜାର୍ଚ୍ଚନା କରାଯିବ । ଗୁରୁବାର ସୂର୍ଯ୍ୟୋପରାଗ ପରେ ପହଡ଼ ଖୋଲାଯାଇ ବାବାଙ୍କୁ ସ୍ନାନ କରାଯିବା ସହ ଅନ୍ୟାନ୍ୟ ସମସ୍ତ ପୂଜାକର୍ମ ବିଧି ଅନୁସାରେ ସମାପନ କରାଯିବ ବୋଲି ସେବାୟତମାନେ କହିଛନ୍ତି।