ସେଣ୍ଟ୍ରିଂ ସମୟରେ ଖୁଣ୍ଟ ପଡ଼ି ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦେଲେ ମାଲିକ

କୋକସରା,୧୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଘର ନିର୍ମାଣ ସମୟରେ ସେଣ୍ଟ୍ରିଂ କାଢୁଥିବା ବଳି ଖୁଣ୍ଟ ମୁଣ୍ଡରେ ବାଜିବା ଫଳରେ ଜଣେ ରାଜମିସ୍ତ୍ରୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କୋକସରା ବ୍ଲକ ଲଡୁଗାଁ ଗ୍ରାମର ଜଣେ ବ୍ୟବସାୟୀ ବଜରଙ୍ଗ ଅଗ୍ରଓ୍ବାଲଙ୍କ କମ୍ପ୍ଲେକ୍ସ ନିର୍ମାଣରେ ନିୟୋଜିତ ଥିବା ବଡ଼ ପୋଡ଼ାଗୁଡ଼ା ପଞ୍ଚାୟତ ବାବେ କୋହରା ଗ୍ରାମର ରାଜମିସ୍ତ୍ରୀ ନବୀନ ଜୁଏଡ଼ (୪୭) ମଙ୍ଗଳବାର ଅପରାହ୍ନରେ ସେଣ୍ଟ୍ରିଂ ଖୋଲୁଥିବା ସମୟରେ ହଠାତ୍‌ କାଠର ବଳି ଖୁଣ୍ଟ ମୁଣ୍ଡରେ ବାଜିବା ଫଳରେ ଟଳି ପଡ଼ିଥିଲେ। ସାଥୀ ଶ୍ରମିକମାନେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସ୍ଥାନୀୟ ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ନ ଥିବାରୁ ଏକ ବାଇକ୍‌ରେ କୋକସରା ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ କୋକସରା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ସନ୍ଧ୍ୟା ହେବାରୁ ଗତକାଲି ବ୍ୟବଚ୍ଛେଦ ହୋଇ ପାରି ନ ଥିଲା ଆଜି ଅର୍ଥାତ୍‌ ବୁଧବାର ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। କୋକସରା ଥାନା କେସ୍‌ ନମ୍ବର ୧୫/୨୩ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ଭାଙ୍ଗି ପଡ଼ିଥିଲେ। ଘରେ ସ୍ତ୍ରୀ ଓ ଦୁଇ ପୁଅ, ଗୋଟିଏ ଝିଅ ଅଛନ୍ତି। ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ପାଇଁ ଦାବି କରାଯାଇଥିଲା।ଆଜି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରଓ୍ବାଲ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ବୁଝାଶୁଝା କରିବା ପରେ ଘରମାଲିକ କ୍ଷତିପୂରଣ ରାଶି ପ୍ରଦାନ କରିଥିବା ଜଣାପଡ଼ିଛି।

Share