Categories: ଜାତୀୟ

ସେନାଧ୍ୟକ୍ଷଙ୍କ ସିଏଏ ମନ୍ତବ୍ୟକୁ ନେଇ ବିବାଦ:ଅବସର ବେଳେ ଅଡ଼ୁଆ

ନୂଆଦିଲ୍ଲୀ,୨୭-୧୨(ପି.ଟି.):ସିଏଏକୁ ବିରୋଧ କରିବା ଲାଗି ଯୁବବର୍ଗଙ୍କୁ ଭୁଲ୍‌ ରାସ୍ତା ଦେଖାଉଥିବା ଲୋକ ନେତା ନୁହେଁ ବୋଲି ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ୍‌ ରାଓ୍ବତ୍‌ ଗୁରୁବାର କହିଛନ୍ତି। ଉଗ୍ର ହିଂସାକାଣ୍ଡ, ପୋଡ଼ାଜଳା କରିବା ଲାଗି ଯୁବ, ଛାତ୍ରଙ୍କୁ ଏକାଠି କରି ବାଟବଣା କରିବା ଅନୁଚିତ ବୋଲି ସେ ମତ ଦେଇଛନ୍ତି। ଜଣେ ନେତା ଲୋକଙ୍କୁ ଠିକ୍‌ ବାଟ ଦେଖାଇବା ଉଚିତ। ଜନସାଧାରଣଙ୍କ ସମ୍ପତ୍ତି ଭାଙ୍ଗିବା ଓ ପୋଡ଼ାଜଳା କରିବା ଲାଗି ପ୍ରବର୍ତ୍ତାଇବା ଠିକ୍‌ନୁହେଁ। ପ୍ରକାଶଥାଉ କି, ଜେନେରାଲ ରାଓ୍ବତ୍‌ ଆଗାମୀ ୩୧ରେ ଅବସର ଗ୍ରହଣ କରୁଛନ୍ତି। ସିଡିଏସ୍‌ ପଦବୀରେ ସେ ଅବସ୍ଥାପିତ ହେବାର ସମ୍ଭାବନା ରହିଛି।
ସେନାଧ୍ୟକ୍ଷଙ୍କ ଏଭଳି ମନ୍ତବ୍ୟକୁ ନେଇ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ରାଜନୈତିକ ପ୍ରସଙ୍ଗ ଉପରେ ସେନାଧ୍ୟକ୍ଷ ଏଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି କଂଗ୍ରେସ କହିଛି। କଂଗ୍ରେସ ମୁଖପାତ୍ର ବ୍ରିଜେଶ୍‌ କଲାପ୍ପା, ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଆସାଦୁଦ୍ଦିନ୍‌ ଓଓ୍ବାଇସି ଜଣେ ଜଣଙ୍କ କାର୍ଯ୍ୟାଳୟର ପରିସୀମା ଜାଣିବା ଦରକାର ବୋଲି ସମାଲୋଚନା କରି କହିଛନ୍ତି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ସାମ୍ପ୍ରଦାୟିକ ହିଂସା ଓ ଗଣହତ୍ୟା ଲାଗି ବାଟ ଫିଟାଉଥିବା ଲୋକଙ୍କୁ ବି ନେତା କୁହାଯିବା ଅନୁଚିତ ବୋଲି ଜବାବ୍‌ ଦେଇ ମତ ରଖିଛନ୍ତି। ସିପିଏମ୍‌ ପକ୍ଷରୁ ସେନାଧ୍ୟକ୍ଷଙ୍କ ବିବୃତିକୁ ନେଇ ସମାଲୋଚନା କରାଯାଇଛି। ତାଙ୍କ ରାଜନୈତିକ ମନ୍ତବ୍ୟ ସଂସ୍ଥାଗତ ଭୂମିକାର ସୀମା ଲଙ୍ଘନ କରୁଛି ଓ ଏଥିଲାଗି ସେ କ୍ଷମା ମାଗିବା ଉଚିତ ବୋଲି ସିପିଏମ୍‌ ପଲିଟି ବ୍ୟୁରୋ ପକ୍ଷରୁ ଦର୍ଶାଯାଇଛି। ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ପଦାଧିକାରୀ ଏଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି ସିପିଏମ୍‌ ନେତା ସୀତାରାମ ୟେଚୁରୀ କହିଛନ୍ତି। ପାକିସ୍ତାନ ଭଳି ସେନାର ରାଜନୀତିକରଣ ଆଡ଼କୁ ଯିବା ଅନୁଚିତ। ଭାରତ ସ୍ବାଧୀନତା ଇତିହାସରେ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ରାଜନୀତି କଥା କହି ଗଣତାନ୍ତ୍ରିକ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା ଅନୁଚିତ ବୋଲି ସିପିଏମ୍‌ କହିଛି। ଏଥିଲାଗି ଦେଶକୁ ସେ କ୍ଷମା ମାଗିବା ଦରକାର ବୋଲି ଦଳ ପକ୍ଷରୁ ଦର୍ଶାଯାଇଛି। ମାନବାଧିକାର କର୍ମୀ ଯୋଗେନ୍ଦ୍ର ଯାଦବ କହିଛନ୍ତି, ପାକିସ୍ତାନ ଓ ବାଂଲାଦେଶରେ ସେନା ରାଜନୀତିର ଭାଷା କହେ। ହେଲେ ଭାରତରେ ଏଭଳି ଘଟଣା ଦୀର୍ଘ ୭୦ ବର୍ଷ ହେବ ଶୁଣିବାକୁ ମିଳି ନ ଥିଲା। ସେନାଧ୍ୟକ୍ଷଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ସମାଲୋଚନା କରାଯାଇଛି।

Share