Categories: ଜାତୀୟ

ସେନା ଯବାନଙ୍କ ପାଇଁ ପଠାଯିବ ୪୦ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌: ଏକେ-୪୭ ଗୁଳିମାଡ଼କୁ ଆଉ ରହିବନି ଭୟ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହିତ ମୁକାବିଲା କରୁଥିବା ଯବାନଙ୍କ ସୁରକ୍ଷା ପାଇଁ ଖୁବ୍‌ ଶୀଘ୍ର ୪୦ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପଠାଯିବ। ଏହି ଜ୍ୟାକେଟ୍‌ର ଏକେ-୪୭ ସହିତ ଅନ୍ୟ ବନ୍ଧୁକର ଗୁଳିମାଡ଼କୁ ସହ୍ୟ କରିବାର କ୍ଷମତା ରହିଛି। ବୋରନ୍‌ କାର୍ବାଇଡ୍‌ ସେରାମିକ୍‌ରେ ପ୍ରସ୍ତୁତ ଏହି ଜ୍ୟାକେଟ ଯବାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ସକ୍ଷମ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବଦେଶୀ କମ୍ପାନୀ ଏସ୍‌ଏମ୍‌ପିପିକୁ ଯବାନମାନଙ୍କ ଲାଗି ଲକ୍ଷେ ୮୬ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ତିଆରି ପାଇଁ ୬ଶହ ୩୯ କୋଟି ଟଙ୍କାର ଠିକା ଦିଆଯାଇଥିଲା। ପ୍ରଥମ ବର୍ଷ କମ୍ପାନୀ ୩୬ ହଜାର ଜ୍ୟାକେଟ୍‌ ଯୋଗାଇ ଦେବାକୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିପାଇଁ ସମ୍ପୃକ୍ତ କମ୍ପାନୀକୁ ୨୦୨୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେବେ ୨୦୨୦ ଶେଷ ସୁଦ୍ଧା ସମସ୍ତ ଜ୍ୟାକେଟ ପ୍ରତିରକ୍ଷା ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କମ୍ପାନୀ କହିଛି। ଜ୍ୟାକେଟ୍‌ଗୁଡ଼ିକୁ କାନପୁର ସ୍ଥିତ କେନ୍ଦ୍ରୀୟ ଅର୍ଡିନାନ୍ସ୍‌ ଡିପୋକୁ ପଠାଯାଇଛି। ସେଠାରୁ ଏଗୁଡ଼ିକୁ ଜମ୍ମୁ-କଶ୍ମୀର ପଠାଯିବ।

Share