ମୁମ୍ବାଇ ୯-୮: କେନ୍ଦ୍ର ସରକାର ଫରେନ ପୋର୍ଟଫୋଲିଓ ଇନ୍ଭେଷ୍ଟର୍ସ(ଏଫ୍ପିଆଇ)ଙ୍କ ନିବେଶ ଉପରେ ବୃଦ୍ଧି କରିଥିବା ସରଚାର୍ଜକୁ ପ୍ରତ୍ୟାହାର କରିନେବେ ବୋଲି ବିଚାର କରୁଥିବା ସୂଚନା ମିଳିବା ପରେ ଗୁରୁବାର ଷ୍ଟକ୍ ମାର୍କେଟରେ ଉଭୟ ସେନ୍ସେକ୍ସ ଓ ନିଫ୍ଟିରେ ବୃଦ୍ଧି ଘଟିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନ୍ସେକ୍ସ ୬୩୬.୮୬ ପଏଣ୍ଟ ବୃଦ୍ଧି ସହ ୩୭,୩୨୭.୮୬ରେ ବନ୍ଦ ହୋଇଥିବା ବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟି ୧୭୬.୯୫ ପଏଣ୍ଟ ବୃଦ୍ଧି ପାଇ ୧୧,୦୩୨.୪୫ରେ ବନ୍ଦ ହୋଇଛି। ଫଳରେ ନିବେଶକ ମାଲାମାଲ୍ ହୋଇଛନ୍ତି। ସେମାନଙ୍କୁ ଗୋଟିଏ ଦିନରେ ପ୍ରାୟ ୧.୯୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ସରଚାର୍ଜକୁ ନେଇ ଉଦ୍ବିଗ୍ନ ଏଫ୍ପିଆଇ ଷ୍ଟକ ବଜାରରୁ ନିଜର ନିବେଶ ପ୍ରତ୍ୟାହାର ଆରମ୍ଭ କରିବାରୁ ଅଗଷ୍ଟ ୭ ସୁଦ୍ଧା ବିଏସ୍ଇରେ ତାଲିକାଭୁକ୍ତ କମ୍ପାନୀଙ୍କ ମାର୍କେଟ କ୍ୟାପିଟାଲ ୧୫୧.୩୫ ଲକ୍ଷ କୋଟିରୁ ୧୩୮.୮୨ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇସାରିଛି।