Categories: ବାଣିଜ୍ୟ

ସେନ୍‌ସେକ୍ସ ୧୦୭୫ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୨୪-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କର୍ପୋରେଟ ଟିକସ ଓ ଜିଏସଟି ହ୍ରାସ ଘୋଷଣା କରିବା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ବେଶ୍‌ ବୃଦ୍ଧି ପରିଲକ୍ଷିତ ହୋଇଛି। ସୋମବାର ସେନ୍‌ସେକ୍ସ ଯେପରି ଫେଷ୍ଟିଭ ମୁଡ୍‌କୁ ଆସିଯାଇଛି। ଅର୍ଥମନ୍ତ୍ରୀଙ୍କ ଘୋଷଣାର ଦୁଇଦିନ ଭିତରେ ଷ୍ଟକ୍‌ ବଜାରରେ ପ୍ରାୟ ୩୦୦୦ ପଏଣ୍ଟ ବୃଦ୍ଧି ପାଇଛି। ସୋମବାର କାରବାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସ ୧୦୭୫.୪୧ ପଏଣ୍ଟ ବୃଦ୍ଧି ପାଇ ୩୯,୦୯୦.୦୩ ରହିଛି। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫ୍ଟି ୩୨୬ ପଏଣ୍ଟ ବୃଦ୍ଧି ପାଇ ୧୧,୬୦୦.୨୦ରେ ବନ୍ଦ ହୋଇଛି। ଏଥିପୂର୍ବରୁ ଶୁକ୍ରବାର ସେନ୍‌ସେକ୍ସ ୧୯୨୧ ପଏଣ୍ଟ ବୃଦ୍ଧି ପାଇଥିଲା। ବିଦେଶୀ ସଂସ୍ଥାଗତ ଏବଂ ଘରୋଇ ନିବେଶକଙ୍କ ପକ୍ଷରୁ ଜୋର୍‌ଦାର ଶେୟାର କିଣାଯିବାରୁ ଷ୍ଟକ୍‌ ମାର୍କେଟ ବୃଦ୍ଧି ପାଇଛି। ଦୁଇ ଦିନ ଧରି ସେନ୍‌ସେକ୍ସ ବୃଦ୍ଧି ପାଇବା କାରଣରୁ ନିବେଶକଙ୍କୁ ପ୍ରାୟ ୧୦.୫୦ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି।

Share