ସେପ୍ଟେମ୍ବର ପୂର୍ବରୁ ଡିଏଲ୍‌-ଏଲ୍‌ଏଲ୍‌ ଆବେଦନ ମନା: ମନ୍ତ୍ରୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଓ ଲନର୍ସ ଲାଇସେନ୍ସ(ଏଲ୍‌ଏଲ୍‌)ପାଇଁ ଆବେଦନ କରି ହେବନାହିଁ। ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍ଲଟ୍‌ ମିଳିବ। ତେବେ ଡିଏଲ୍‌-ଏଲ୍‌ଏଲ୍‌ ପାଇଁ ଅଢ଼େଇ ଲକ୍ଷ ଲୋକ ଆବେଦନ କରିଛନ୍ତି। ସେମାନଙ୍କୁ ନୁଆ ସ୍ଲଟ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, କରୋନା ଭୂତାଣୁ ସଂକ୍ରମଣ ପରେ ମାର୍ଚ୍ଚ ୧୮ରୁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଓ ମାର୍ଚ୍ଚ ୨୫ରୁ ଟେଷ୍ଟ ବନ୍ଦ ଥିଲା। ଫଳରେ ବହୁ ଆବେଦନ ପଡ଼ି ରହିଥିଳା। ଜୁନ୍‌ ୧୧ରୁ ଡିଏଲ୍‌ ଟେଷ୍ଟ ଏବଂ ୨୨ରୁ ଏଲ୍‌ଏଲ୍‌ ନିମନ୍ତେ ସ୍ଲଟ ବୁକିଂ ପାଇଁ ଗତ ବୁଧବାର ଘୋଷଣା ହୋଇଥିଲା। ଫଳରେ ଆର୍‌ଟିଓ ଅଫିସ ଆଗରେ ଭିଡ ଜମିଥିଲା। ହେଲେ ସାରଥୀ ପୋର୍ଟାଲରେ ସମସ୍ୟା ଯୋଗୁ ବୁକିଂ ହୋଇପାରି ନ ଥିଳା। ଫଳରେ ଏହି ଟେଷ୍ଟକୁ ଅନ୍ୟାଦେଶ ଯାଏ ଏସ୍‌ଟିଏ ପକ୍ଷରୁ ବାତିଲ କରାଯାଇଛି। ତେବେ ମାର୍ଚ୍ଚ ୧୮ରୁ ଯେଉଁ ଏଲ୍‌ଏଲ୍‌ଗୁଡ଼ିକର ସମୟସୀମା ଶେଷ ହୋଇଛି, ତାହାର ବୈଧତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ବୋଲି ବିଭାଗ ସୂଚନା ଦେଇଛି।

Share