Advertisement

ସେପ୍ଟେମ୍ବର ସୁଦ୍ଧା ଆସିବ କରୋନା ଟିକା !

ଲଣ୍ଡନ,୧୮।୪: କରୋନା ଭାଇରସର ସଂକ୍ରମଣ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ସବୁ ବିକାଶଶୀଳ ଦେଶ ଏହାକୁ ନେଇ ଗବେଷଣା ଜାରି ରଖିଛନ୍ତି। ବିଶେଷ କରି ଏହି ଭୂତାଣୁକୁ ମାରିବାକୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ନ ଥିବାରୁ ଏହା ଉପରେ ଅଧିକ ଗବେଷଣା ଚାଲିଛି। ଏହାକୁ ନେଇ ବ୍ରିଟିଶ ବୈଜ୍ଞାନିକମାନେ ଦାବି କରିଛନ୍ତି କି ଆସନ୍ତା ସେପ୍ଟେମ୍ବର ସୁଦ୍ଧା କରୋନା ଟିକା ଆସିଯିବ। ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନୋଲେଜି ବିଭାଗର ପ୍ରଫେସର ସାରା ଗିଲବର୍ଟ କରୋନା ଭାଇରସ ପାଇଁ ଭ୍ୟାକସିନ୍‌ ବାହାର କରିଥିବା ଦାବି କରିଛନ୍ତି ବୋଲି ଜଣାପଡିଛି। ଶୁକ୍ରବାର ଖବରଦାତାଙ୍କ ସହ କଥା ହୋଇ ସେ ଏପରି ଦାବି କରିଛନ୍ତି। ସେ କହିଛନ୍ତି ପୂର୍ବରୁ ଆମେ ଏକ ମହାମାରୀ ରୂପ ନେଉଥିବା ରୋଗ ଉପରେ ଗବେଷଣା କରୁଥିଲୁ ଯାହାର ନାମ ଏକ୍ସ ରଖାଯାଇଥିଲା। ହେଲେ ଏଥିପାଇଁ ଆମେ ଯୋଜନା ବଦ୍ଧ ଭାବେ କାମ କରିବାର ଆବଶ୍ୟକତା ଥିଲା। ଏବେ ଯେଉଁ ଗବେଷଣା ଚାଲିଛି ସେଥିରେ ୧୨ଥର ପରୀକ୍ଷା କରାଯାଇଥିବା ବେଳେ ଏହାର ମାତ୍ର ଗୋଟିଏ ଡୋଜ୍‌ରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେଉଥିବା ଦେଖାଯାଇଛି। ପ୍ରଫେସର ଗିଲବର୍ଟ କହିଛନ୍ତି ଏହାର କ୍ଲିନିକାଲ ଟେଷ୍ଟ ଆରମ୍ଭ ହୋଇସାରିଛି। ତେଣୁ ଅନୁମାନ କରାଯାଉଛି କି ସେପ୍ଟେମ୍ବର ସୁଦ୍ଧା ଏହାର ୧୦ ଲକ୍ଷ ଡୋଜ୍‌ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share