ସେପ୍ଟେମ୍ବର ୧୩ରେ ଭାଜପାର ୨ ଘଣ୍ଟିଆ ରାସ୍ତାରୋକୋ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡାଠାରୁ ସୁଡୁସୁଡ଼ିଆ ବାଇପାସ୍‌ ଛକ ପର୍ଯ୍ୟନ୍ତ ସର୍ଭିସ ରୋଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହାର ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଭାଜପା ପକ୍ଷରୁ ୨ ଘଣ୍ଟିଆ ରାସ୍ତାରୋକୋ ଲାଗି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ରାସ୍ତା ଶୋଚନୀୟ ଯୋଗୁ ଯାତ୍ରୀମାନେ ଯାତାୟାତ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଲୋକ ମୃତାହତ ହେଉଛନ୍ତି। ଏଥି ସହିତ ଯାନବାହନଗୁଡିକ ରାସ୍ତାରେ ଫସି ରହି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସର୍ଭିସ ରୋଡଗୁଡିକର ତୁରନ୍ତ ମରାମତି କରାଯାଇ ଯାତାୟାତରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଭାଜପା ପକ୍ଷରୁ ୨ ଘଣ୍ଟିଆ ରାସ୍ତାରୋକୋ କରାଯିବ ବୋଲି ଜିଲା ଏସ୍‌ସି ମୋର୍ଚ୍ଚା ସଭାପତି ହେମନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଏହି ବନ୍ଦ ପାଳନରେ କିଷାନ ମୋର୍ଚ୍ଚା ଜିଲା ସଭାପତି ଶ୍ରୀଧର ସାହୁ, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ସୁମତି ଜେନା, ଭାଜପାର ବରିଷ୍ଠ ନେତା ପ୍ରେମାନନ୍ଦ ମିଶ୍ର, ନାରିନେତ୍ରୀ ଇଲାରାଣୀ ଖଣ୍ଟିଆ, ଯୁବମୋର୍ଚ୍ଚା ଅରୁଣ ଉଦୟ ନାୟକ, ଜିଲା ସମ୍ପାଦିକା ଅସୀମା ମିଶ୍ରଙ୍କ ସହିତ ଭାଜପାର ବହୁ କର୍ମୀ ସାମିଲ ରହିବେ ବୋଲି ଜଣାପଡିଛି।