ସେପ୍ଟେମ୍ବର ୨ରୁ ସଭ୍ୟ ସଂଗ୍ରହ କରିବ ବିଜେଡି : ପ୍ରତି ସଦସ୍ୟଙ୍କ ହେବ ଆଧାର ଲିଙ୍କ୍‌

ଭୁବନେଶ୍ୱର,୧।୯(ବ୍ୟୁରୋ) : ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭଯାନକୁ ଜୋରଦାର୍‌ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୨ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ କରାଯିବ। ତେବେ ପ୍ରଥମ ଥର ଲାଗି ସବୁ ସଦସ୍ୟଙ୍କ ଆଧାର ଲିଙ୍କ୍‌ କରାଯିବ ବୋଲି ବିଜେଡି ନେତା ସୁବାସ ସିଂହ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ପ୍ରତି ଓ୍ବାର୍ଡରୁ ୪ ଜଣ, ଏନ୍‌ଏସିରୁ ୫ ଓ ମ୍ୟୁନିସିପାଲିଟିରୁ ୧୫ ଜଣ ସଦସ୍ୟ ରହିବେ। ସେହିଭଳି କର୍ପୋରେଶନରୁ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ। ପ୍ରତ୍ୟେକ ସଦସ୍ୟ ୨୫ ଜଣ ସଭ୍ୟ ସୃଷ୍ଟି କରିବେ। ଏତଦ୍‌ବ୍ୟତୀତ ୫-ଟିକୁ ଗୁରୁତ୍ୱ ଦେଇ ସରକାରୀ ଯୋଜନାର ସଫଳ ରୂପାୟନ କିପରି ହୋଇପାରିବ ସେନେଇ ଦୃଷ୍ଟି ଦେବାକୁ ଉପସ୍ଥିତ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

Share