ନୂଆଦିଲ୍ଲୀ,୨୩।୫: ରାଜଧାନୀ ଦିଲ୍ଲୀରେ ନିପୁଣ କାରିଗରଙ୍କ ହାତ ତିଆରି ସାମଗ୍ରୀ ବିକ୍ରିକୁ ନେଇ ଗତ ବର୍ଷ ଖୋଲିଥିବା ‘ହୁନର ହାଟ’ ଚଳିତ ବର୍ଷ ସେପ୍ଟେମ୍ବର ୨୫ରେ ପୁଣିଥରେ ଏହା ଖୋଲିବ ବୋଲି ଶନିବାର କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକ୍ଭି କହିଛନ୍ତି। ଏଥର ଏହି ‘ହୁନର ହାଟ’ର ଥିମ୍ ରହିବ ‘ଲୋକାଲ ଟୁ ଗ୍ଲୋବାଲ’। ଗତ ୫ ବର୍ଷ ମଧ୍ୟରେ ଏହି ‘ହୁନର ହାଟ’ ଦ୍ୱାରା ପାଖାପାଖି ୫ ଲକ୍ଷ ଭାରତୀୟ ରୋଜଗାରକ୍ଷମ ହାଇପାରିଥିବା ନକ୍ଭି କହିଛନ୍ତି। ତେଣୁ ନିପୁଣ କାରିଗରଙ୍କୁ ବ୍ୟବସାୟର ସୁଯୋଗ ଦେଉଥିବା ଏହି ‘ହୁନର ହାଟ’ ଏବର୍ଷ ନୂଆ ଥିମ ନେଇ ଆସିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଫେବୃୟାରୀରେ ଆୟୋଜିତ ‘ହୁନର ହାଟ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଲିଯିବା ସହ ସେଠାରେ ବିହାରର ପ୍ରସିଦ୍ଧ ଖାଦ୍ୟ ଖାଇଥିଲେ। ଏହାପରେ ସେ ତାଙ୍କ ମନ କି ବାତ କାର୍ଯ୍ୟକ୍ରମରେ ‘ହୁନର ହାଟ’ର କଥା ମଧ୍ୟ କହିଥିଲେ।