ସେବାଶ୍ରମ ଛାତ୍ରୀଙ୍କୁ ପଢ଼ାଇଲେ ମନ୍ତ୍ରୀ

ଦାରିଙ୍ଗବାଡି,୧୭ା୧୨(ଡି.ଏନ୍‌.ଏ.)-ଆଇଟି ଏବଂ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଦାରିଙ୍ଗବାଡି ବ୍ଲକ ଗସ୍ତରେ ଆସିଥିଲେ। ସୋମବାର ପୂର୍ବାହ୍ନରେ ସ୍ଥାନୀୟ କନ୍ୟାଶ୍ରମକୁ ଯାଇଥିବା ବେଳେ ସେଠାରେ ପ୍ରଧାନସେବକ ଅନୁପସ୍ଥିତ ଥିବା ଦେଖି ଉଦ୍‌ବେଗ ପ୍ରକାଶ କରିଥିଲେ। ସେବାଶ୍ରମ ଛାତ୍ରୀଙ୍କୁ ମନ୍ତ୍ରୀ କିଛି ସମୟ ପଢ଼ାଇଥିଲେ। ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ପରଖିବା ସହ ସମସ୍ୟା ପଚାରି ବୁଝିଥିଲେ। ପରେ ମନ୍ତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କୁ ସମସ୍ୟା ପଚାରି ବୁଝିଥିଲେ। ସେଠାରୁ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଇଥିଲେ। ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ସେଠୀଙ୍କ ସହ ଆଲୋଚନା କରିଥିଲେ। ଦାରିଙ୍ଗବାଡି ମିନି ଷ୍ଟାଡିୟମ ସଂପ୍ରସାରଣ କାର୍ଯ୍ୟ ପାଇଁ ଅନୁଦାନ ଆସିଥିଲେ ମଧ୍ୟ ତାହାର କାର୍ଯ୍ୟ ଆରମ୍ଭ ହୋଇନି। ଏ ନେଇ ମନ୍ତ୍ରୀଙ୍କୁ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଅବଗତ କରାଇଥିଲେ। ମନ୍ତ୍ରୀ ଉକ୍ତ ମିନିଷ୍ଟାଡିୟମ ସ୍ଥଳକୁ ଯାଇ ଦେଖିବା ସହ ସେଠାରେ ଏକ ଉନ୍ନତମାନର ଷ୍ଟାଡିୟମ ସହ ଦର୍ଶକ ଗାଲେରି, ପଡିଆ ସମତଳ କାର୍ଯ୍ୟ କରାଯିବ ବୋଲି କହିଥିଲେ। ସେହିପରି ଦାରିଙ୍ଗବାଡି ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ସ୍ଥାନୀୟ ବିଧାୟକ ମନ୍ତ୍ରୀକୁ ଅବଗତ କରିଥିଲେ। ଦାସିଂବାଡି ପଞ୍ଚାୟତ ଅଧିନରେ ଥିବା ମିଡିୟୁବାନ୍ଦା ଜଳପ୍ରପାତକୁ ପକ୍କା ରାସ୍ତା ର୍ନିମାଣ ପାଇଁ ଜନସାଧାରଣ ଦାବି ଜଣାଇଥିଲେ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ମିଡିୟୁବାନ୍ଦାର ବିକାଶ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଧାୟକ ପ୍ରଧାନଙ୍କ ସମେତ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Share