Categories: ବାଣିଜ୍ୟ

ସେବା କ୍ଷେତ୍ରକୁ ମାନ୍ଦାବସ୍ଥା ମାଡ; ପିଏମ୍‌ଆଇ ୫୨.୪ ପଏଣ୍ଟକୁ ହ୍ରାସ

ନୂଆଦିଲ୍ଲୀ,୫।୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବ ଗୋଟିଏ ପରେ ଗୋଟିଏ ସେକ୍ଟରକୁ ମାଡି ଚାଲିଛି। ସର୍ଭିସ ସେକ୍ଟର ବା ସେବା କ୍ଷେତ୍ର ସେଥିରୁ ବାଦ ପଡ଼ିନି। ଏକ ମାସିକ ସର୍ଭେ ଅନୁଯାୟୀ ଦେଶରେ ନୂଆ କାରବାର ବୃଦ୍ଧି ହାର, ନିଯୁକ୍ତି ସୃଷ୍ଟି ଧିମା ହେବା ଏବଂ ଉତ୍ପାଦନ ମଧ୍ୟମ ହାରରେ ବଢ଼ୁଥିବା କାରଣରୁ ଦେଶର ସେବା କ୍ଷେତ୍ରର ଗତିବିଧି ଅଗଷ୍ଟରେ ହ୍ରାସ ପାଇଛି। ଆଇଏଚ୍‌ଏସ୍‌ ମାର୍କିଟର ଇଣ୍ଡିଆ ସର୍ଭିସେସ୍‌ ବିଜନେସ ଆକ୍ଟିଭିଟି ସୂଚକାଙ୍କ ବା ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ(ପିଏମ୍‌ଆଇ) ଅଗଷ୍ଟରେ ୫୨.୪ ପଏଣ୍ଟକୁ ହ୍ରାସ ପାଇଛି, ଯାହା କି ଜୁଲାଇରେ ୫୩.୮ ରହିଥିଲା। ତେବେ ଏହା ୫୦ ପଏଣ୍ଟ ସ୍ତର ଉପରେ ରହିବା ବିଶେଷଜ୍ଞଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି। କାରଣ ଏହାଠାରୁ କମ୍‌ ରହିଲେ ସେବା କ୍ଷେତ୍ର ଅତ୍ୟନ୍ତ ଧିମା ବୋଲି ଧରାଯାଇଥାଏ। ରଏଟର ପକ୍ଷରୁ କରାଯାଇଥିବା ସର୍ଭେରେ ଅଗଷ୍ଟରେ ପିଏମ୍‌ଆଇ ୫୧.୯ ପଏଣ୍ଟ ରହିବ ବୋଲି ଅନୁମାନ କରାଯାଇଥିଲା। ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ୧୫ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଥିବାରୁ କମ୍ପୋଜିଟ୍‌ ଆଉଟ୍‌ପୁଟ ସୂଚକାଙ୍କ ଅଗଷ୍ଟରେ ୫୨.୬ ପଏଣ୍ଟକୁ ହ୍ରାସ ପାଇଛି, ଯାହା କି ଜୁଲାଇରେ ୫୩.୯ ରହିଥିଲା। ଏହି ସୂଚକାଙ୍କରେ ବିନିର୍ମାଣ ଏବଂ ସେବା କ୍ଷେତ୍ରକୁ ସାମିଲ କରାଯାଇଛି। ତେବେ ପିଏମ୍‌ଆଇ ଆଉଟପୁଟ ସୂଚକାଙ୍କରେ କ୍ରମାଗତ ୧୮ ମାସ ହେବ ବୃଦ୍ଧି ଦେଖିବାକୁ ମିଳିଛି। ଆଇଏଚ୍‌ଏସ୍‌ ମାର୍କିଟର ମୁଖ୍ୟ ଅର୍ଥନୀତିଜ୍ଞ ପି.ଡି.ଲିମା କହିଛନ୍ତି ଯେ, ଭାରତର ସେବା କ୍ଷେତ୍ରର ପିଏମ୍‌ଆଇ ବୃଦ୍ଧି ହାର ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ଅନୁଯାୟୀ ଆଗେଇ ଚାଲିଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଆର୍ଥିକ ବର୍ଷ ୨୦୧୯-୨୦ର ଦ୍ୱିତୀୟ ତ୍ରୈମାସରେ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ଦୃଶ୍ୟପଟ ଆହୁରି ଶୋଚନୀୟ ହେବାକୁ ଯାଉଛି। ସେ କହିଛନ୍ତି ଯେ, ଜୁଲାଇ ତୁଳନାରେ ଅଗଷ୍ଟରେ ନୂଆ ଅର୍ଡର ଆସିବା କମିଛି। ଆଲୋଚ୍ୟ ମାସରେ ନୂଆ ନିଯୁକ୍ତି ଦେଖିବାକୁ ମିଳିଛି, କିନ୍ତୁ ଏହାର ଗତି ଅତ୍ୟନ୍ତ ଧିମା ରହିଛି। ତେବେ ଧିମା ଗତି ସତ୍ତ୍ୱେ ଆଗାମୀ ୧୨ରୁ ୧୫ ମାସ ମଧ୍ୟରେ କାରବାର ଗତିବିଧି ବଢ଼ିବ ବୋଲି ସେବାପ୍ରଦାନକାରୀ କମ୍ପାନୀଗୁଡ଼ିକ ଆଶାବ୍ୟକ୍ତ କରିଥିବା ସର୍ଭେରୁ ଜଣାପଡିଛି।

Share