ନ୍ୟୁୟର୍କ,୪।୯: ମହିଳା କିମ୍ବଦନ୍ତୀ ଖେଳାଳି ସେରେନା ଓ୍ବିଲିୟମ୍ସ ୟୁଏସ୍ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ସୁଇଜରଲାଣ୍ଡର ରୋଜର ଫେଡରର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ମ୍ୟାଚ୍ରେ ସେରେନା ୬-୧, ୬-୦ରେ ଚାଇନାର ଓ୍ବାଙ୍ଗ ଜିଆଙ୍ଗଙ୍କୁ ହରାଇ ଦେଇଛନ୍ତି। କ୍ୟାରିୟରର ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇବା ଲକ୍ଷ୍ୟରେ ଥିବା ଆମେରିକାନ ଷ୍ଟାର ମ୍ୟାଚ୍କୁ ମାତ୍ର ୪୪ ମିନିଟ୍ରେ ଜିତି ନେଇଥିଲେ। ୟୁଏସ୍ ଓପନ ଟୁର୍ନାମେଣ୍ଟରେ ଏହା ତାଙ୍କ କ୍ୟାରିୟରର ୧୦୦ତମ ବିଜୟ। ସେ ସେମିଫାଇନାଲରେ ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ଭେଟିବେ। ଅନ୍ୟପକ୍ଷରେ ୨୦ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଫେଡରର ନିମ୍ନ ର଼୍ୟାଙ୍କଧାରୀ ଗ୍ରିଗୋର ଡିମିଟ୍ରୋଭଙ୍କଠାରୁ ହାରି ଯାଇଛନ୍ତି। ମ୍ୟାଚ୍କୁ ୭୪ତମ ର଼୍ୟାଙ୍କଧାରୀ ବୁଲଗେରିଆନ ଖେଳାଳି ଡିମିଟ୍ରୋଭ ୩-୬, ୬-୪, ୩-୬, ୬-୪, ୬-୨ ସେଟ୍ରେ ଜିତି ନେଇଛନ୍ତି। ସେ ସେମିଫାଇନାଲରେ ୫ମ ସିଡ୍ ଡାନିଏଲ ମାଡଭେଡେଭଙ୍କ ସହ ମୁକାବିଲା କରିବେ। ମ୍ୟାଚ୍ର ୪ର୍ଥ ସେଟ୍ ପରେ ୩୮ ବର୍ଷୀୟ ଫେଡରର ମେଡିକାଲ ଟାଇମ ଆଉଟ୍ ନେଇଥିଲେ। ଏହା ଖୁବ୍ କମ୍ ଦେଖିବାକୁ ମିଳେ।