ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବି: ଧାରଣାରେ ବସିଲେ ଛାତ୍ରୀ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ବୁଧବାର କଲେଜ ସମ୍ମୁଖ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଧାରଣାରେ ବସିଥିବା ଜଣାପଡ଼ିଛି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ସୂଚନାନୁଯାୟୀ, ଗତ ବର୍ଷ ବକେୟା ସେମିଷ୍ଟାର ପରୀକ୍ଷା ଠିକ୍‌ ସମୟରେ ଶେଷ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ତୃତୀୟ ସେମିଷ୍ଟର ଚଳିତ ମାସ ୨୬ ତାରିଖରେ କରିବାକୁ ଘୋଷଣା କରାଯାଇଛି। ଅପରପକ୍ଷେ ସିଲାବସ୍‌ ବଦଳି ଯାଇଥିବା ବେଳେ ପାଠ୍ୟପୁସ୍ତକ ଆସି ନ ଥିବାରୁ କୋର୍ସ ସରିନାହିଁ। ଏଣୁ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରୀମାନେ ଦାବି କରି ଆନ୍ଦୋଳନ କରିଥିବା କହିଛନ୍ତି।

ଏନେଇ ଅଧ୍ୟକ୍ଷ ସଦାଶିବ ମହାରଣା କହିଛନ୍ତି ଯେ, କୋର୍ସ ସରିଛି। କିନ୍ତୁ ଠିକ୍‌ ସମୟରେ ପରୀକ୍ଷା ଶେଷ କରିବାକୁ ବିଦ୍ୟାଳୟ ତାରିଖ ନିର୍ଦ୍ଧାରଣ କରିଛନ୍ତି। ଏଣୁ ଛାତ୍ରୀମାନଙ୍କୁ ବୁଝାଇବା ପରେ ଉଠି ଯାଇଛନ୍ତି।

Share