ସେମିଷ୍ଟର ପରୀକ୍ଷା ବିରୋଧରେ ବିକ୍ଷୋଭ

କଟକ ଅଫିସ, ୪।୧୨: ରାଜାବଗିଚାସ୍ଥିତ ନେତାଜୀ ସୁଭାଷ ମେମୋରିଆଲ ସିଟି କଲେଜରେ ସେମିଷ୍ଟର ପରୀକ୍ଷା ପ୍ରତିବାଦରେ ବୁଧବାର ଛାତ୍ରୀଛାତ୍ରମାନେ କଳେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଅଧ୍ୟକ୍ଷ ଡ. ଦେବାଶିଷ ଜେନାଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ଚଳିତ ବର୍ଷର ସ୍ନାତକ ତୃତୀୟ ସେମିଷ୍ଟର ପରୀକ୍ଷା ଆସନ୍ତା ୨୩ ତାରିଖରୁ ଆରମ୍ଭ ହେଉଛି। ଏହି ନିଷ୍ପତ୍ତିକୁ ଛାତ୍ରୀଛାତ୍ରମାନେ ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ୩ୟ ସେମିଷ୍ଟର ପରୀକ୍ଷା ପାଇଁ ପାଠ୍ୟକ୍ରମ ଶେଷ ହୋଇନାହିଁ। ୬ ମାସର ପାଠ୍ୟକ୍ରମ ଶେଷ ହୋଇ ନ ଥିବାବେଳେ ବାଧ୍ୟତାମୂଳକ ଭାବେ ଏହାକୁ ଡିସେମ୍ବର ୨୩ରେ କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଛାତ୍ରୀଛାତ୍ରମାନେ ଠିକ ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ ନାହିଁ। ତୃତୀୟ ସେମିଷ୍ଟର ପରୀଷା ଆସନ୍ତା ଜାନୁୟାରୀ ଶେଷ ସପ୍ତାହରେ କରିବା ପାଇଁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଏ ନେଇ ଅଧ୍ୟକ୍ଷ ଜେନା କହିଛନ୍ତି, ଏହା କଲେଜର ନିଷ୍ପତ୍ତି ନୁହେଁ। ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେଇଛି। ବିଶ୍ୱବିଦ୍ୟାଳୟ ଚାହିଁଲେ ଏହି ନିଷ୍ପତ୍ତି ପରିବର୍ତ୍ତନ ହୋଇପାରିବ।

Share