Categories: ଖେଳ

ସେରେନା ନିରାଶ

ନ୍ୟୁୟର୍କ, ୮।୯- ୟୁଏସ୍‌ ଓପନ୍‌ ଫାଇନାଲ ପରାଜୟ ପରେ ଆମେରିକୀୟ ଅଭିଜ୍ଞ ମହିଳା ଟେନିସ୍‌ ତାରକା ସେରେନା ଓ୍ବିଲିୟମ୍ସ ନୈରାଶ୍ୟ ଜାହିର କରିଛନ୍ତି। ଫାଇନାଲ ମ୍ୟାଚ୍‌ରେ ମୋର ପ୍ରଦର୍ଶନ ଅକ୍ଷମଣୀୟ ବୋଲି କହିଛନ୍ତି। ୨୦ ବର୍ଷ ତଳେ ସେରେନା ଏଠାରେ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ଆଣ୍ଡ୍ରେସ୍କୁ ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ଓ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ। ଫାଇନାଲରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ତେବେ ମୋର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲା ବୋଲି ସେରେନା କହିଛନ୍ତି। ମ୍ୟାଚ୍‌ରେ ସେରେନା ଏକାଧିକ ତ୍ରୁଟି କରିଥିଲେ। ସେରେନା ଫାର୍ଷ୍ଟ ସର୍ଭର ୪୪ ପ୍ରତିଶତ ହିଟ୍‌ କରିଥିଲେ। ସେହିପରି ସେ ସେକେଣ୍ଡ ସର୍ଭର ୪୩ରୁ ୩୦ ପଏଣ୍ଟ ଡ୍ରପ୍‌ କରିଥିଲେ। ଆହୁରି ଅଧିକ ଭଲ ପ୍ରଦର୍ଶନ କରିପାରିଥାନ୍ତି ସେ କହିଛନ୍ତି। ବିଜୟୀ ହୋଇଥିଲେ ସେରେନା ଅଷ୍ଟ୍ରେଲୀୟ ପୂର୍ବତନ ମହିଳା ଖେଳାଳି ମାର୍ଗାରେଟ କୋର୍ଟଙ୍କ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲର ସର୍ବକାଳୀନ ରେକର୍ଡର ସମକକ୍ଷ ହୋଇଥାନ୍ତେ। ଦୁଇବର୍ଷ ତଳେ ମା’ ହେବାର ସୌଭାଗ୍ୟ ଅର୍ଜନ କରିବା ପରେ ସେରେନା ଦୁଇଥର ଓ୍ବିମ୍ବେଲଡନ ଓ ୟୁଏସ୍‌ ଓପନ୍‌ ଫାଇନାଲରେ ପରାସ୍ତ ହୋଇଛନ୍ତି। ଟାଇଟଲ ହାସଲର ଅତି ନିକଟରେ ପହଞ୍ଚିଥିଲେ ମଧ୍ୟ ବହୁ ଦୂରରେ ରହିଯାଇଥିଲି। ଏହା ମୋତେ କଷ୍ଟ ଦେଇଛି ବୋଲି ସେରେନା କହିଛନ୍ତି। ଚଳିତ ମାସ ଶେଷ ଆଡ଼କୁ ସେରେନା ୩୮ ବର୍ଷରେ ପଦାର୍ପଣ କରିବେ। ରେକର୍ଡ ହାସଲ କରିବାକୁ ଖେଳୁନାହିଁ। କେବଳ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାକୁ ଚେଷ୍ଟା କରୁଛି। ତେବେ ଆଗକୁ ଖେଳ ଜାରି ରଖିବା ସହ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିବି ବୋଲି ସେରେନା ମ୍ୟାଚ୍‌ ପରେ କହିଛନ୍ତି। ପରାଜୟ ସତ୍ତ୍ୱେ ଷ୍ଟାଡିୟମରେ ଉପସ୍ଥିତ ଥିବା ୨୬ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ସେରେନାଙ୍କୁ ସମର୍ଥନ କରିଥିଲେ।

Share