Categories: ଖେଳ

ସେରେନା-ହାଲେପ୍‌ ଫାଇନାଲ

ଲଣ୍ଡନ, ୧୨ା୭ (ଏଏଫ୍‌ପି)-ଚଳିତବର୍ଷର ଓ୍ବିମ୍ବେଲଡନ ଓପନ୍‌ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲ ଆମେରିକାର ସେରେନା ଓ୍ବିଲିୟମ୍ସ ଏବଂ ରୋମାନିଆର ସିମୋନା ହାଲେପ୍‌ଙ୍କ ମଧ୍ୟରେ ଖେଳାଯିବ। ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ରେକର୍ଡ ସମକକ୍ଷ ହେବା ଲକ୍ଷ୍ୟରେ ଥିବା ସେରେନା ଗୁରୁବାର ଖେଳାଯାଇଥିବା ଏକ ସେମିଫାଇନାଲରେ ଚେକ୍‌ ରିପବ୍ଲିକର ବାରବୋରା ଷ୍ଟ୍ରାଇକୋଭାଙ୍କୁ ହରାଇ ଦେଇଛନ୍ତି। ଆମେରିକାର ଏହି ଷ୍ଟାର ଖେଳାଳି ୬-୧, ୬-୨ ସିଧା ସଳଖ ସେଟ୍‌ରେ ବିଜୟ ହାସଲ କରିଛନ୍ତି। ସେରେନା ଏଠାରେ ପୂର୍ବରୁ ୭ଥର ଟାଇଟଲ ଜିତିସାରିଛନ୍ତି। ଅନ୍ୟପକ୍ଷରେ ରୋମାନିଆର ପ୍ରଥମ ମହିଳା ଖେଳାଳି ହିସାବରେ ସିମୋନା ହାଲେପ୍‌ ଓ୍ବିମ୍ବେଲଡନ ଓପନ ଟେନିସ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ୟୁକ୍ରେନ୍‌ର ଏଲିନା ସ୍ବିତୋଲିନାଙ୍କୁ ୬-୧, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି।
ଏଠାରେ ୭ମ ସିଡ୍‌ପ୍ରାପ୍ତ ଏହି ୨୭ ବର୍ଷୀୟା ଖେଳାଳି ୨୦୧୮ରେ ଫ୍ରେଞ୍ଚ ଓପନ ଚାମ୍ପିୟନ ହୋଇଥିଲେ। ସେ ତାଙ୍କ କ୍ୟାରିୟରର ୫ମ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବେ। ପ୍ରି-କ୍ୱାର୍ଟରରେ ୧୫ ବର୍ଷୀୟା ନୂଆ ଷ୍ଟାର କୋକୋ ଗଫ୍‌ଙ୍କୁ ନକଆଉଟ୍‌ କରିଥିବା ହାଲେପ୍‌ ଏହା ପୂର୍ବରୁ ୨୦୧୪ରେ ଓ୍ବିମ୍ବେଲଡନ୍‌ ସେମିଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଏଜିନି ବୋଚାର୍ଡଙ୍କଠାରୁ ସେ ହାରିଯାଇଥିଲେ। ଗୁରୁବାର ମ୍ୟାଚରେ ପରେ ହାଲେପ୍‌ କହିଛନ୍ତି, ଇତିମଧ୍ୟରେ ମୋର ଅଧିକ ଅଭିଜ୍ଞତା ହୋଇଗଲାଣି। ଆଉ ସୁଯୋଗ ହାତଛଡ଼ା କରିବି ନାହିଁ। ସୂଚନାଯୋଗ୍ୟ, ସ୍ବିତୋଲିନା ୟୁକ୍ରେନର ପ୍ରଥମ ମହିଳା ଖେଳାଳି ହିସାବରେ ଏକ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଥିଲେ।

Share