ସେଲୁନ୍‌ ଖୋଲିବାର ପ୍ରଶ୍ନ ଉଠୁନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୫।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏହା ଜୁନ୍‌ ୩ରେ ଶେଷ ହେବ ବୋଲି ଘୋଷଣା କରାଯାଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ନିୟମରେ କିଛିଟା କେହଳ କରିଛନ୍ତି। ପୂର୍ବରୁ କେବଳ ଜରୁରୀ ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଏବେ ଆଉ କିଛି ଦୋକାନ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ହେଲେ ଏହି ସମୟରେ ଗାଁ ହେଉ ଅବା ସହର କେଉଁଠି ବି ହେୟାର ସେଲୁନ ଖୋଲିବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୂର୍ଣ୍ଣ୍ୟ ସଲିଳା ଶ୍ରୀବାସ୍ତବ। ସେ କହିଛନ୍ତି ସରକାରଙ୍କ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ମଦ, ଗୁଟଖା, ପାନ ମସଲା ଆଦି ବିକ୍ରି ଉପରେ ମଧ୍ୟ କଟକଣା ରହିଛି। କେନ୍ଦ୍ର ସରକାର ଏପ୍ରିଲ ୨୫ ପରେ କିଛି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଥିବା ବେଳେ ବାର୍‌ ଏବଂ କ୍ଳବ ବନ୍ଦ ରହିବ ବୋଲି କହିଛନ୍ତି। ସେହିପରି ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନ୍‌ରେ ପୂର୍ବ ନିର୍ଦ୍ଧାରିତ ପ୍ରତିବନ୍ଧକ ମଧ୍ୟ ଜାରି ରହିବ। ତେବେ ଗାଁରେ ଅଧିକାଂଶ ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ସହରରେ କିନ୍ତୁ ଶପିଂ ମଲ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଅନ୍‌ ଲାଇନରେ ଜରୁରୀ ଆବଶ୍ୟକ ସାମଗ୍ରୀ ମିଳିପାରିବ ବୋଲି ଜଣାପଡିଛି।

Share