ସେଲୁନ ମାଲିକଙ୍କ ଝିଅ ହେଲେ ୟୁଏନ୍‌ଏଡିଏପିର ଗୁଡ୍‌ ଓ୍ବିଲ ଆମ୍ବାସଡର

ଚେନ୍ନାଇ,୬।୬: କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଗରିବଙ୍କ ସେବା କରିଥିବା ଜଣେ ସେଲୁନ ମାଲିକଙ୍କ ଝିଅ ଏବେ ୟୁନାଇଟେଡ ନେଶନ୍ସ ଆସୋସିଏଶନ ଫର୍‌ ଡେଭଲପମେଣ୍ଟ ଆଣ୍ଡ ପିସ୍‌(ୟୁଏନ୍‌ଏଡିଏପି)ର ‘ଗୁଡଓ୍ବିଲ ଆମ୍ବାସଡର ଟୁ ଦି ପୁଅର’ ଭାବେ ନିଯୁକ୍ତ ହୋଇଛନ୍ତି। ୧୩ ବର୍ଷର ବାଳିକା ଏମ୍‌. ନେଥ୍ରାଙ୍କ ପିତା ତାମିଲନାଡୁରେ ଏକ ସେଲୁନ କରିଛନ୍ତି। ଲକ୍‌ଡାଉନ ସମୟରେ ନେଥ୍ରାଙ୍କ ପାଠପଢା ପାଇଁ ରଖିଥିବା ୫ ଲକ୍ଷ ଟଙ୍କାରେ ସେ ଗରିବଙ୍କୁ ସାହାଯ୍ୟ କରିଥିଲେ। ନେଥ୍ରାଙ୍କ କହିବା ଅନୁଯାୟୀ ତାଙ୍କ ପିତା ମୋହନ ଗରିବଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ନେଥ୍ରା ଓ ତାଙ୍କ ପିତାଙ୍କର ଏହି କାମ ପାଇଁ ଖୁବ୍‌ ପ୍ରଶଂସା କରିଥିଲେ। ୟୁଏନ୍‌ଏଡିଏପି ଦ୍ୱାରା ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି ଏହି ସ୍ଥିତି ନେଥ୍ରାଙ୍କୁ ବିଶ୍ୱର ରାଜନେତା, ଶିକ୍ଷାବିତ୍‌ ଓ ସାଧାରଣ ଜନତାଙ୍କ ସହ କଥା ହେବାର ସୁଯୋଗ ସୃଷ୍ଟି କରିଛି ଓ ଗରିବଙ୍କୁ ସାହାଯ୍ୟ କରିବାକୁ ପ୍ରୋତ୍ସାହନ ଦେଇଛି। ଏହାସହ ନେଥ୍ରାଙ୍କୁ ଜାତିସଂଘର ସମ୍ମିଳନୀ ଓ ସିଭିଲ ସୋସାଇଟି ମଞ୍ଚରେ କିଛି କହିବା ଓ ସମ୍ମିଳନୀକୁ ସମ୍ବୋଧନ କରିବାକୁ ଅବସର ଯୋଗଇ ଦିଆଯିବ।

Share